ସାରକୁ ନେଇ ଚାଷୀଙ୍କ ପ୍ରତିବାଦ । ରାସ୍ତାକୁ ଓହ୍ଲାଇଲେ ଶହ ଶହ ଚାଷୀ, କହିଲେ ଚଢ଼ା ଦରରେ ବିକ୍ରି ହେଉଛି ସାର, ଆଉ ନିରବଦ୍ରଷ୍ଟା ପାଲଟିଛି ପ୍ରଶାସନ ।

154

କନକ ବ୍ୟୁରୋ : ସାର ପାଇଁ ଚାଷୀଙ୍କ ରାସ୍ତା ଅବରୋଧ । ସାର ଅଭାବକୁ ନେଇ ନବରଙ୍ଗପୁର ଉମରକୋଟରେ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଚାଷ ପାଇଁ ସାରର ଅଭାବ ଦେଖାଦେଇଥିବାରୁ ଏହାକୁ ବିରୋଧ କରି ରାସ୍ତା ଅବରୋଧ କରିଥିବା ଚାଷୀଙ୍କ ସହ ସାମିଲ ହୋଇଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ । ବର୍ଷାର ଆଗମନ ପରେ ଯେଉଁ ଚାଷୀ ଜମିରେ ରହି ଚାଷ କରିବା କଥା ସେହି ଚାଷୀ ଏବେ ରାଜରାସ୍ତାକୁ ଓହ୍ଲାଇଛି ।

ଦୀର୍ଘ ଦୁଇ ମାସ ହେବ ଉମରକୋଟରେ କୌଣସି ସାର ମିଳୁନାହିଁ । ଫଳରେ ଚାଷୀ ଚାଷ କାମ ଅଧାରେ ରଖିଛନ୍ତି । ବିଭିନ୍ନ ସ୍ଥାନରୁ ଧାର କରଜ୍ ଆଣି ଚାଷ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି । ଅତିଶିଘ୍ର ସାର ନମିଳିଲେ ଚାଷ ଉଜୁଡିଯିବାର ଆଶଙ୍କା ରହିଛି । ଚଢା ଦରରେ ସାର ବିକ୍ରିକୁ ନେଇ ଶତାଧିକ ଚାଷୀ ଉମରକୋଟ ତହସିଲ କାର୍ଯ୍ୟାଳୟ ଘେରାଉ କରିବା ସହ ତହସିଲଦାରଙ୍କୁ ଦାବି ପତ୍ର ଦେଇଛନ୍ତି । ଅତିଶୀଘ୍ର ସାର ଯୋଗାଇ ଦିଆନଗଲେ ଚାଷୀ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚାଷୀ ଚେତାବନୀ ଦେଇଛନ୍ତି । ଚାଷୀଙ୍କୁ ସାର ନମିଳିବା ଯାଏଁ ରାସ୍ତାରୁ ହଟିବେ ନାହିଁ ବୋଲି କହିଛନ୍ତି ପ୍ରଦୀପ ମାଝୀ ।