କନକ ବ୍ୟୁରୋ : କୁହାଯାଏ ଚାଷ କାମ ଯାହାର କେଡେ ସୁଖ ତାହାର । ହେଲେ ଏବେ ଏମିତି ସମୟ ଆସିଛି ଯେ, ଏଠି ଯିଏ ଚାଷୀ ସେ ସବୁ ବେଳେ ସମସ୍ୟାର ସମ୍ମୁଖୀନ ହେଉଛି । ଧାନ ଚାଷ କରିବା ଦିନରୁ ବିକ୍ରି ଯାଏଁ କେବଳ କଷ୍ଟ ପାଉଛନ୍ତି ଚାଷୀ ।

Advertisment

ଚାଷ ପାଇଁ କଷ୍ଟ, ଆଉ ଏବେ ଫସଲ ବିକ୍ରି ପାଇଁ ବି ସହିବାକୁ ପଡୁଛି କଷ୍ଟ । ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ବଡପୋଖରୀ ସମବାୟ ସମିତିରେ ମିଲରଙ୍କ ମନମାନି ଚାଷୀଙ୍କ ଦୁର୍ଦ୍ଦଶା ବଢାଇଛି । ମିଲର ଟାର୍ଗେଟ ନାହିଁ କହି ଧାନ କିଣୁନି । ଧାନ ଉଠୁନଥିବାରୁ ଉପାୟଶୂନ୍ୟ ଚାଷୀ ମଣ୍ଡିରେ ଶୀତ କାକରରେ ପଡି ରହିଛନ୍ତି । ସେଇଠି ଖାଇ, ସେଇଠି ଶୋଉଛନ୍ତି । ବସ୍ତା ବସ୍ତା ଧାନଗଦା ଉପରେ ଆକାଶ ମୁହାଁ ହୋଇ ଚାଷୀ ସାରା ରାତି ତାରା ଗଣୁଛନ୍ତି ।

ସେହିପରି ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକର ଡମ୍ବସରା ଧାନ ମଣ୍ଡିରେ ବି ଦେଖିବାକୁ ମିଳିଛି ସମାନ ଦୃଶ୍ୟ । ମଣ୍ଡିରେ ଧାନ ଉଠାଣ ବନ୍ଦ ଥିବାରୁ ଚାଷୀ ରାତି ଅନିଦ୍ରା ହୋଇ ଧାନକୁ ଜଗି ରହିଛନ୍ତି । ଏଥିପାଇଁ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବକୁ ଦାୟୀ କରିଛନ୍ତି ଚାଷୀ ।

ସେପଟେ କଳାହାଣ୍ଡି ଜିଲ୍ଲାର ତୁମରା ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ରାସ୍ତାରୋକ କରିଛନ୍ତି ଚାଷୀ । ଗୋଲାମୁଣ୍ଡା ସିନାପାଲି ଧାନ ବସ୍ତା ରଖି ଚାଷୀ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଯାତାୟତ ପ୍ରଭାବିତ ହୋଇଛି । ଖବର ପାଇ କୋକସରା ତହସିଲଦାର, ରାଜସ୍ୱ ନୀରିକ୍ଷକ ସହ ପୁଲିସ କର୍ମଚାରୀ ପହଞ୍ଚି ଆନ୍ଦୋଳତରତ ଚାଷୀଙ୍କୁ ବୁଝାସୁଝା କରିଛନ୍ତି । ବିଭିନ୍ନ ସ୍ଥାନରୁ ମଣ୍ଡି ଅବ୍ୟବସ୍ଥାକୁ ନେଇ ଆସୁଥିବା ଖବରକୁ ଦେଖିଲେ ଲାଗୁଛି, ଚାଷୀ ଯେମିତି କଷଣ ଓ ଶୋଷଣ ସହିବାକୁ ଜନ୍ମ ନେଇଛି ।