ଦିଲ୍ଲୀରେ ଟ୍ରାକ୍ଟର ରାଲି ପୂର୍ବରୁ କୃଷକଙ୍କୁ ବିରୋଧ: ଗାଜିପୁରର ବିଭିନ୍ନ ପେଟ୍ରୋଲ ଟାଙ୍କିରେ ତେଲ ନଦେବାକୁ ଲାଗିଲା ପୋଷ୍ଟର

ସେପଟେ ଆଜି ଦିଲ୍ଲୀ ପୁଲିସକୁ ରାଲିର ରୁଟ ଚାର୍ଟ ଦେବ କୃଷକ ସଂଗଠନ

567

କନକ ବ୍ୟୁରୋ: ସାଧାରଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲି ପୂର୍ବରୁ କୃଷକଙ୍କୁ ବିରୋଧ । ଟ୍ରାକ୍ଟର ପାଇଁ ତେଲ ନଦେବାକୁ ଗାଜିପୁରର ବିଭିନ୍ନ ପେଟ୍ରୋଲ ପମ୍ପରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ପୋଷ୍ଟରରେ ଟ୍ରାକ୍ଟର ଓ ବୋତଲରେ ତେଲ ଦିଆଯିବ ନାହିଁ ବୋଲି ଲେଖାଯାଇଛି । ସେପଟେ ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ପରେଡ ପାଇଁ ଦିଲ୍ଲୀ ପୁଲିସକୁ ରୁଟଚାର୍ଟ ଦେବେ କୃଷକ ସଂଗଠନ । ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରିବା ପାଇଁ କୃଷକ ସଂଗଠନକୁ ସର୍ତ୍ତମୂଳକ ଅନୁମତି ଦେଇଛି ଦିଲ୍ଲୀ ପୋଲିସ ।

କୃଷକମାନଙ୍କୁ ଦିଲ୍ଲୀର ପାଂଚଟି ରାସ୍ତା ଦେଇ ୧୦୦ କିମି ପର୍ଯ୍ୟନ୍ତ ଟ୍ରାକ୍ଟର ରାଲି କରିବାକୁ ଅନୁମତି ମିଳିଛି । ସୂଚନା ଅନୁଯାୟୀ, ସିନ୍ଧୁ, ତିଖିରୀ, ଗାଜିପୁର, ପଲୱାଲ ଓ ଶାହାଜହାନପୁରରୁ କୃଷକଙ୍କ ଟ୍ରାକ୍ଟର ରାଲି ବାହାରିବ । ତେବେ କେଉଁ ରୁଟ୍ ଦେଇ ଟ୍ରାକ୍ଟର ରାଲି ଯିବ ସେ ନେଇ ଆଜି ପୋଲିସକୁ ଲିଖିତ ଆକାରରେ ଦେବେ କୃଷକ ସଂଗଠନ ।  ରୁଟ୍ ଚାର୍ଟ ଦେବା ପରେ ପୋଲିସ ତର୍ଜମା କରିବ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି । ରାଲି ସମ୍ପୂର୍ଣ୍ଣ ଭାବେ ଶାନ୍ତି ପୂର୍ଣ୍ଣ ରହିବା ସହ କୌଣସି ସରକାରୀ କାର୍ଯ୍ୟକ୍ରମ ଯେପରି ପ୍ରଭାବିତ ନହେବ, ସେଥିପାଇଁ ପ୍ରତିଶ୍ରୁତି ଦେଇଛନ୍ତି କୃଷକ ସଂଗଠନ ।