ଥମୁନି କୃଷକ ଆନ୍ଦେଳନ: ସେପ୍ଟେମ୍ବର ୨୭ରେ ଭାରତ ବନ୍ଦ ଡାକରା ଦେଲା ମିଳିତ କୃଷକ ମୋର୍ଚ୍ଚା, ବ୍ୟାଙ୍କ ୟୁନିଅନର ସମର୍ଥନ

270

କନକ ବ୍ୟୁରୋ: ସରକାରଙ୍କ ନୂଆ କୃଷି ନୀତିକୁ ବିରୋଧ କରି ଜାରି ରହିଛି କୃଷକଙ୍କ ବିରୋଧ ପ୍ରଦର୍ଶନ । ଏହାକୁ ତୀବ୍ର କରିବାକୁ ସେପ୍ଟେମ୍ବର ୨୭ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି ୟୁନାଇଟେଡ୍ କିସାନ ମୋର୍ଚ୍ଚା(ଏସକେଏମ୍) ।ହେଲେ ଏହା ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ହେବ । ଜନସାଧାରଣଙ୍କ ସ୍ୱାର୍ଥ କ୍ଷୁର୍ଣ୍ଣ ହେବ ନାହିଁ । ଲୋକଙ୍କୁ ସର୍ବନିମ୍ନ ସମସ୍ୟା ହୋଇପାରେ ବୋଲି ସୁନିଶ୍ଚିତ କରିଛି କିସାନ ମୋର୍ଚ୍ଚା ।

 

କେନ୍ଦ୍ର ସରକାରଙ୍କ ତିନୋଟି ନୂତନ କୃଷି ଆଇନ ବିରୋଧରେ ଗତ ନଅ ମାସ ଧରି ଆନ୍ଦୋଳନ କରୁଥିବା ମିଳିତ କିସାନ ମୋର୍ଚ୍ଚା ସେପ୍ଟେମ୍ବର ୨୭ ରେ ‘ଭାରତ ବନ୍ଦ’ ଘୋଷଣା କରିଛି। ସେହି ଦିନ କୃଷକ ଆନ୍ଦୋଳନର ୩୦୦ ଦିନ ପୂରଣ ହେଉଛି । ଏହାକୁ ସମର୍ଥନ ଜଣାଇଛି ଦେଶର ବ୍ୟାଙ୍କ ୟୁନିୟନ । । ଅଖିଳ ଭାରତୀୟ ବ୍ୟାଙ୍କ ଅଧିକାରୀ ମହାସଂଘ (ଏଆଇବିଓସି) ସରକାରଙ୍କୁ ଅନୁରୋଧ କରିଛି ଯେ ସେ ୟୁନାଇଟେଡ୍ କିସାନ ମୋର୍ଚ୍ଚା ସହିତ ଏହାର ଦାବି ଉପରେ ଆଲୋଚନା ଆରମ୍ଭ କରନ୍ତୁ ଏବଂ ତିନୋଟି ବିବାଦୀୟ କୃଷି ଆଇନକୁ ରଦ୍ଦ କରନ୍ତୁ। ଅନ୍ୟପଟେ କୃଷକ ସଂଗଠନ ଗୁଡିକ ଭାରତ ବନ୍ଦ ନିଷ୍ପତ୍ତିରୁ ପଛଘୁଞ୍ଚା ଦେବାକୁ ମନା କରିଦେଇଛନ୍ତି।
ଭାରତୀୟ କିଷାନ ୟୁନିଅନ ମୁଖପାତ୍ର ରାକେଶ ଟିକାଇତ ଗତ ସପ୍ତାହରେ କହିଥିଲେ ଯେ ତିନୋଟି କୃଷି ଆଇନ ପ୍ରତ୍ୟାହାର ନହେବା ପର୍ୟ୍ୟନ୍ତ ସେ ତାଙ୍କ ଆନ୍ଦୋଳନ ଶେଷ କରିବେ ନାହିଁ। ସେ କହିଥିଲେ, ନ ଜିତିବା ପର୍ୟ୍ୟନ୍ତ କୌଣସି ଶକ୍ତି ତାଙ୍କୁ ହଟାଇ ପାରିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ଟିକାୟତ ।

 

ୟୁନାଇଟେଡ୍ କିସାନ ମୋର୍ଚ୍ଚା (ଏସକେଏମ) କେନ୍ଦ୍ରର ତିନୋଟି କୃଷି ଆଇନ ବିରୋଧରେ ସେପ୍ଟେମ୍ବର ୨୭ ‘ଭାରତ ବନ୍ଦ’ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି। ସଂଗଠନ କହିଛି ଯେ ଭାରତ ବନ୍ଦ ଶାନ୍ତିପୂର୍ଣ୍ଣ ହେବ ଏବଂ କୃଷକମାନେ ନିଶ୍ଚିତ କରିବେ ଯେ ଲୋକମାନେ ସର୍ବନିମ୍ନ ଅସୁବିଧାର ସମ୍ମୁଖୀନ ହେବେ । ଭାରତ ବନ୍ଦ ସକାଳ ୬ ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ ଟା ଯାଏଁ ଜାରି ରହିବ। ଏହି ସମୟ ମଧ୍ୟରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କାର୍ୟ୍ୟାଳୟ, ବଜାର, ଦୋକାନ, କାରଖାନା, ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନକୁ କାର୍ୟ୍ୟ କରିବାକୁ ଅନୁମତି ଦିଆଯିବ ନାହିଁ । ସରକାରୀ ଏବଂ ବେସରକାରୀ ପରିବହନକୁ ଅନୁମତି ଦିଆଯିବ ନାହିଁ। କୌଣସି ସାର୍ବଜନୀନ କାର୍ୟ୍ୟ ଅନୁମତି ଦିଆଯିବ ନାହିଁ ବୋଲି କୁହାଯାଇଛି ।