କୋରାପୁଟରୁ ଉତ୍ପାଦିତ ହେଉଛି ପ୍ରଚୁର ପରିମାଣର ଅଦା: ହେଲେ ଚାଷୀଙ୍କୁ ମିଳୁନି ଉଚିତ୍ ମୁଲ୍ୟ, ୪ରୁ ୫ଟଙ୍କାରେ ଅଦା ବିକ୍ରି କରୁଛନ୍ତି ଚାଷୀ

109

କନକ ବ୍ୟୁରୋ: ଅଦା ଦେଇଛି ରୋଜେଗାର । ଆମ୍ବ, ତେନ୍ତୁଳି, କୋଳି ଆଚାର ଆଦି ଅନେକ ପ୍ରକାର ଆଚାର ନା ଁ ଶୁଶିଥିବେ । ହେଲେ ଅଦା ଆଚାର କଥା ଆପଣଙ୍କୁ ଟିକେ ଖଟ୍କା ଲାଗିପାରେ । ହେଲେ ଏହା ସତ । କେବଳ ଅଦା ଆଚାର ନୁହେଁ ଅଦାରୁ ଅଦା କ୍ୟାଣ୍ଡି, ଅଦା ଚକୋଲେଟ, ଅଦା ଜୁସ, ଅଦା ବରଫି, ଅଦା ସ୍କୁଆସ ଆଦି ତିଆରି କରୁଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ଯାହା ମହିଳାଙ୍କୁ ରୋଜଗାରର ବାଟ ଦେଖାଇଛି । ଅଦାରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ଭଲ ଦୁଇପଇସା ରୋଜଗାର କରୁଛନ୍ତି କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକର ଗେଲ୍ଲାଗୁଡ଼ା ଗାଁର ଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ।

ଅଦା.. ଏକ ଦରକାରୀ ଜିନିଷ । ସମସ୍ତଙ୍କ ରୋଷେଇ ଘରେ ଅଦାର ଆବଶ୍ୟକ ହୁଏ । ଚା’ ଠାରୁ ଆରମ୍ଭ କରି ତରକାରୀ ପର୍ଯ୍ୟନ୍ତ ଖାଦ୍ୟରେ ଅଦା ପଡ଼ିଲେ ଏହା ଖାଦ୍ୟକୁ ସୁସ୍ୱାଦୁ କରାଇବା ସହ ସ୍ୱାସ୍ଥ୍ୟପାଇଁ ହିତକର ହୋଇଥାଏ । କିନ୍ତୁ ଅଦାର ବ୍ୟବହାର ଯେ, କେବଳ ତରକାରୀରେ ମସଲା ରୁପେ ସୀମିତ ତା ନୁହେଁ, ଏଥିରୁ ବିଭିନ୍ନ ପ୍ରକାର ଚାହିଦା ମୁତାବକ ରୁଚିକର ଖାଦ୍ୟ ବି ପ୍ରସ୍ତୁତି ହୋଇପାରେ । ଅଦା କାଣ୍ଡି, ଅଦା ଚକଲେଟ, ଅଦା ଜୁସ ଓ ଅଦା ଆଚାର ତିଆରି କରି ବଜାରରେ ବିକ୍ରୟ କରି ଏହାର ଲାଭ ଉଠାଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା । ଯେଉଁ ଅଦା କିଲୋ ପ୍ରତି ୪ରୁ ୫ ଟଙ୍କା ବିକ୍ରି ହେଉଥିଲା ତାକୁ ପ୍ରକ୍ରିୟାକରଣ କରି ଏଥିରୁ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ୫ଶହ ଟଙ୍କାରେ ବିକ୍ରୀ କରୁଛନ୍ତି ଏସଏଚଜି ମହିଳା ।

ଅଦା ଚାଷ ପାଇଁ କୋରାପୁଟ ପଟାଙ୍ଗୀ ଅଂଚଳର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ହେଲେ ଚଳିତ ବର୍ଷ ଚାହିଦା ମୁତାବକ ଚାଷୀଙ୍କୁ ଉଚିତ୍ ମୁଲ୍ୟ ମିଳନଥିବା ଅଭିଯୋଗ ହୋଇଛି । ପଡ଼ୋଶୀ ରାଜ୍ୟରେ ପ୍ରଚୁର ପରିମାଣରେ ଅଦା ଅମଳ ଯୋଗୁଁ କୋରାପୁଟ ଅଦାର ବିକ୍ରୀ ବଟା କମ୍ ରହିଥିବା କହିଛନ୍ତି ଚାଷୀ । ଯାହାକୁ ନେଇ କୋରାପୁଟର ସଖା ଫାଉଣ୍ଡେସନ ନାମକ ବେସରକାରୀ ସଂସ୍ଥା ଅଦାର ପ୍ରକ୍ରିୟାକରଣ କରି ବଜାରରେ ବିକ୍ରୀ କରିବା ପାଇଁ ଅଂଟା ଭିଡ଼ିଛି । ଏଥିପାଇଁ ଏହି ବ୍ଲକର ଅନେକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ତାଲିମ ଦେଇ ଏଥିରୁ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରସ୍ତୁତ କରୁଛି । ଏସଏଚଜି ମହିଳାମାନେ ଅଦାର ପ୍ରକ୍ରିୟାକରଣ କରି ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରି ବଜାରରେ ବିକ୍ରୟ କରୁଛନ୍ତି । କୋରାପୁଟ ପଟାଙ୍ଗୀରେ ପ୍ରଚୁର ପରିମାଣରେ ଅଦା ଚାଷ ହେଉଥିଲେ ମଧ୍ୟ ଚାଷୀ ଉଚିତ୍ ମୁଲ୍ୟ ପଇପାରୁନାହିଁ । ଏପରି ପ୍ରକ୍ରିୟାକରଣ ପରେ ଏହାର ଚାହିଦା ବଢିବା ସହ ରୋଜଗାରର ବାଟ ଫିଟିଛି ।