ଚାଷୀଙ୍କ ଟ୍ରାକ୍ଟର ରାଲି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ : ଦିଲ୍ଲୀ ପୁଲିସ୍ ହାତରେ ଛାଡ଼ିଲେ ନିଷ୍ପତ୍ତି

ଦିଲ୍ଲୀ ପୁଲିସ୍ ଜାରି କରିପାରିବେ ନିର୍ଦ୍ଦେଶନାମା; ସେପଟେ କିିଛି ସମୟ ମଧ୍ୟରେ ଚାଷୀ ଓ ସରକାରଙ୍କ ମଧ୍ୟରେ ବସିବ ବୈଠକ

124

କନକ ବ୍ୟୁରୋ : ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଆନ୍ଦୋଳନକାରୀ ଚାଷୀଙ୍କ ଟ୍ରାକ୍ଟର ରାଲି ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛିି । ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ଏହି ମାମଲାରେ ଏବେ ନିଷ୍ପତ୍ତି ଦିଲ୍ଲୀ ପୁଲିସ୍ ହାତରେ ଛାଡ଼ିଛନ୍ତି ସୁପ୍ରିମକୋର୍ଟ । ଟ୍ରାକ୍ଟର ରାଲି ପ୍ରସଙ୍ଗରେ ଦିଲ୍ଲୀ ପୁଲିସ୍ ନିର୍ଦ୍ଦେଶନାମା ଜାରି କରିପାରିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ସୋମବାର ଏହି ମାମଲାର ଶୁଣାଣି କରି ରାୟ ସ୍ଥଗିତ ରଖିଥିଲେ କୋର୍ଟ । ସେତେବେଳେ ମଧ୍ୟ ଟ୍ରାକ୍ଟର ରାଲି ହେବ କି ନାହିଁ, ଏହାର ନିଷ୍ପତ୍ତିରେ ଦିଲ୍ଲୀ ପୁଲିସର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ କହିଥିଲେ କୋର୍ଟ ।

ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରିବାକୁ ଅଡି ବସିଛନ୍ତି ଚାଷୀ ସଂଗଠନ । କୃଷକଙ୍କ ଟ୍ରାକ୍ଟର ଶୋଭାଯାତ୍ରାକୁ ବିରୋଧ କରି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଛନ୍ତି । ପିଟିସନରେ କୁହାଯାଇଛି ଯେ, ଶୋଭାଯାତ୍ରା ଯୋଗୁଁ ସାଧାରଣତନ୍ତ୍ର ଦିବସରେ ବ୍ୟାଘାତ ସୃଷ୍ଟି ହେବ । ସେପଟେ ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ କୃଷକ ସଂଗଠନ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସେପଟେ ଆଜି ୧୦ମ ପର୍ଯ୍ୟାୟ ବୈଠକ କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ହେବ । ପୂର୍ବରୁ ହୋଇଥିବା ଆଲୋଚନାରେ କିଛି ପ୍ରସଙ୍ଗରେ ସହମତି ହୋଇଛି । ହେଲେ କୃଷକ ସଂଗଠନର ମୂଳ ଓ ମୁଖ୍ୟ ଦାବି ତିନି କୃଷି ଆଇନ ପ୍ରତ୍ୟାହାର ଉପରେ କୌଣସି ସହମତି ହୋଇପାରୁ ନାହିଁ ।