ସଂଯୁକ୍ତ କିଷାନ ମୋର୍ଚ୍ଚାର ଘୋଷଣା, ଏମଏସପି ଗ୍ୟାରେଣ୍ଟି ନମିଳିବା ଯାଏଁ ଚାଲୁ ରହିବ ଆନ୍ଦୋଳନ

85

କନକ ବ୍ୟୁରୋ : ଆଇନ ପ୍ରତ୍ୟାହାର ପରେ ଦିଲ୍ଲୀ ସୀମାରୁ ଆନ୍ଦୋଳନରତ କୃଷକମାନେ ଆନ୍ଦୋଳନ ଭାଙ୍ଗି ପଳାଇଯିବେ ବୋଲି ସରକାରଙ୍କର ଯେଉଁ ଧାରଣା ଥିଲା ତାହା ଭୁଲ ପ୍ରମାଣିତ ହୋଇଛି । ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚାର ୪୨ ଟି କୃଷକ ସଂଗଠନ ବୈଠକ ପରେ ଘୋଷଣା କରାଯାଇଛି କି ଯେପର୍ଯ୍ୟନ୍ତ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଉପରେ ଗ୍ୟାରେଣ୍ଟି ଦେଇ ନାହାଁନ୍ତି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ଏହାସହ ଆନ୍ଦୋଳନ ବେଳେ ମୃତ୍ୟୁବରଣ କରିଥିବା କୃଷକଙ୍କ ପରିବାରକୁ ଆର୍ଥିକ ସହାୟତା ଓ କୃଷକମାନଙ୍କ ଉପରେ ଦାଖଲ ହୋଇଥିବା ଅଭିଯୋଗ ପ୍ରତ୍ୟାହାର ନେଇ ବି କୃଷକ ସଂଗଠନମାନେ ଦାବି କରିଛନ୍ତି ।

କୃଷକ ନେତା ବଲବୀର ସିଂ ରାଜେବାଲ କହିଛନ୍ତି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ଏକ ଖୋଲା ଚିଠି ଲେଖାଯିବ । ଯେଉଁଥିରେ କୃଷକମାନଙ୍କର ସମସ୍ତ ଦାବି ଲିଖିତ ରହିବ । ଏହାସହ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଦ୍ୱାରା ଲଖିମପୁର ଖେରୀରେ କୃଷକମାନଙ୍କୁ ଯେଭଳି ହତ୍ୟା କରାଗଲା ତା ଉପରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଉପରେ ବି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯିବ । ଏହାସହ ଏହା ଉପରେ ଆଲୋଚନା କରିବାକୁ ନଭେମ୍ବର ୨୭ ତାରିଖରେ ପୁଣି ଏକ ବୈଠକ ଅନୁଷ୍ଠିତ ହେବ ଓ ଉକ୍ତ ବୈଠକରେ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ କୃଷିଆଇନ ଲାଗୁ କରିବା ନେଇ ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର ଓ ବିଜେପି ସାଂସଦ ସାକ୍ଷୀ ମହାରାଜଙ୍କ ବୟାନ ପରେ ସମାଜବାଦୀ ପାର୍ଟି କହିଛି କି ପ୍ରଧାନମନ୍ତ୍ରୀଙ୍କୁ ବିଶ୍ୱାସ କରିବା କୃଷକମାନଙ୍କ ପାଇଁ ବୋକାମୀ ହେବ ।