କନକ ବ୍ୟୁରୋ : ତିନି ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । କୃଷି ଆଇନ ହଟାଇବା ଦାବିରେ ଆଜି ୨୪ ଘଂଟିଆ ଉପବାସ ଅନଶନ କରିବାକୁ ଘୋଷଣା କରିଛନ୍ତି ଆନ୍ଦୋଳନରତ କୃଷକ ସଂଗଠନ । ଦିଲ୍ଲୀର ବିଭିନ୍ନ ସୀମାରେ ବିରୋଧ ପ୍ରଦର୍ଶନ କରୁଥିବା ୧୧ ଜଣ କୃଷକ ଆଜି ଅନାହାର ରହି କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ ପ୍ରଦର୍ଶନ କରିବେ । ଡିସେମ୍ବର ୨୩ ତାରିଖ କୃଷକ ଦିବସରେ ଉପବାସ ରହି କୃଷି ଆଇନକୁ ବିରୋଧ କରିବା ପାଇଁ ଦେଶବାସୀଙ୍କୁ ଅପିଲ କରିଛନ୍ତି କୃଷକ ସଂଗଠନ ।
ସେହିପରି ଡିସେମ୍ବର ୨୫ରୁ ୨୭ ତାରିଖ ଯାଏଁ ହରିୟାଣାର ସମସ୍ତ ରାଜପଥରେ ଟୋଲ ପ୍ଲାଜା ନିକଟରେ ବିରୋଧ ପ୍ରଦର୍ଶନ କରାଯିବ ଏବଂ ଏହି ସମୟରେ ଟୋଲ ଅସୁଲି କରିବାକୁ ଦେବେ ନାହିଁ ବୋଲି ଭାରତୀୟ କିଷାନ ୟୁନିଅନ ଘୋଷଣା କରିଛି । ସେହିପରି ଡିସେମ୍ବର ୨୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମ ସମୟରେ ଥାଳି ବଜାଇବାକୁ କୃଷକ ସଂଗଠନ ଗୁଡିକ ଚାଷୀଙ୍କୁ ଅପିଲ କରିଛନ୍ତି । କହିଛନ୍ତି ମନ କି ବାତ କାର୍ଯ୍ୟକ୍ରମ ଆରମ୍ଭରୁ ଶେଷ ହେବା ଯାଏଁ ଥାଳି ବଜାଇ ବିରୋଧ ପ୍ରଦର୍ଶନ କରାଯିବ ।
ଦିଲ୍ଲୀ ସୀମାରେ ଗତ ୪ ସପ୍ତାହ ହେଲା ହଜାର ହଜାର କୃଷକ ଶୀତ କାକରରେ ପଡି ରହି ନୂଆ କୃଷି ଆଇନକୁ ବିରୋଧ କରୁଛନ୍ତି । ଗତକାଲି କୃଷି ଆଇନ ବିରୋଧୀ ପ୍ରଦର୍ଶନରେ ସାମିଲ ମୃତ ସାଥୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ କୃଷକମାନେ । କୃଷକ ସଂଗଠନର ଦାବି କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ତେଜିଥିବା ଆନ୍ଦୋଳନରେ ସାମିଲ ୪୦ ଜଣ କୃଷକ ପ୍ରାଣ ହରାଇଛନ୍ତି । ସେପଟେ କେନ୍ଦ୍ର ସରକାର ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା କୃଷକଙ୍କ ଚିଠି ଲେଖି ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏଥିସହ ଆଲୋଚନାର ତାରିଖ ସ୍ଥିର କରି ଜଣାଇବାକୁ ଚିଠିରେ ଉଲ୍ଲେଖ କରିଛନ୍ତି କେନ୍ଦ୍ର ସରକାର ।