ସଂଯୁକ୍ତ କିଷାନ ମୋର୍ଚ୍ଚା ବୈଠକରେ ବଡ ନିଷ୍ପତ୍ତି । ବାତିଲ୍ ହେଲା ସଂସଦକୁ ଚାଷୀଙ୍କ ଟ୍ରାକ୍ଟର ରାଲି!

210

କନକ ବ୍ୟୁରୋ: ଚାଷୀମାନେ ସଂସଦର ଶୀତ ଅଧିବେଶନର ପ୍ରଥମ ଦିନରେ ସଂସଦ ପର୍ଯ୍ୟନ୍ତ ଟ୍ରାକ୍ଟର ମାର୍ଚ୍ଚ କରିବା ନେଇ ଘୋଷଣା କରିଥିଲେ । ଆଉ ଆଜି ସିଂଘୁ ଓ ଟିକରୀ ବର୍ଡରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତାଙ୍କୁ ନେଇ ବସିଥିବା ବୈଠକରେ ଏନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଚାଷୀମାନେ ଏହି ଟ୍ରାକ୍ଟର ମାର୍ଚ୍ଚକୁ ବାତିଲ କରିଦେଇଛନ୍ତି । ତେବେ ଏପର୍ଯ୍ୟନ୍ତ ଏନେଇ ଚାଷୀ ସଙ୍ଗଠନ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା ହୋଇନଥିବାବେଳେ, ଏହି ଟ୍ରାକ୍ଟର ମାର୍ଚ୍ଚକୁ ଚାଷୀ ସଙ୍ଗଠନ ବାତିଲ କରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଅନ୍ୟପଟେ ଟ୍ରାକ୍ଟର ରାଲି ବାତିଲ ହେବା ନେଇ ଖୁବଶୀଘ୍ର ଚାଷୀ ସଙ୍ଗଠନ ପ୍ରେସମିଟ୍ କରି ସୂଚନା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ ଯେ, ନଭେମ୍ବର ୨୬ ତାରିଖରେ କିଷାନ ମହାପଞ୍ଚାୟତ ବେଳେ ଚାଷୀ ନେତା ରାକେଶ ଟିକାୟତ କହିଥିଲେ, ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଚାଷୀମାନେ ଟ୍ରାକ୍ଟର ରାଲି କରିବେ । ଏଥିରେ ଚାଷୀମାନେ ଟ୍ରାକ୍ଟର ଧରି ସଂସଦ ପର୍ଯ୍ୟନ୍ତ ରାଲି କରିବେ । ହେଲେ ଏବେ ଏହାକୁ ବାତିଲ କରିଦିଆଯାଇଥିବା ଖବର ପ୍ରକାଶ ପାଉଛି । ଚାଷୀମାନଙ୍କର ଏହି ଟ୍ରାକ୍ଟର ମାର୍ଚ୍ଚ ବାତିଲ ଏପରି ସମୟରେ ଆସିଛି, ଯେତେବେଳେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କୃଷକଙ୍କର ଅନ୍ୟ ଦୁଇଟି ଦାବିକୁ ନେଇ ସକରାତ୍ମକ ମନୋଭାବ ପୋଷଣ କରିଛନ୍ତି ଆଉ ଚାଷୀ ଆନ୍ଦୋଳନକୁ ଶେଷ କରିବାକୁ ଅପିଲ କରିଛନ୍ତି । କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଏମଏସପି ଉପରେ ଆଇନ ନିର୍ମାଣ ପାଇଁ କମିଟି ଗଠନ ଓ ନଡା ଜଳାଇବା ଅପରାଧମୁକ୍ତ ବୋଲି କହିଛନ୍ତି । ଯାହା ପରେ ଚାଷୀମାନେ ଏହି ଟ୍ରାକ୍ଟର ରାଲି ବାତିଲ କରିଥିବା ଏବେ ସୂଚନା ମିଳୁଛି ।