କେନ୍ଦ୍ର ସରକାରଙ୍କୁ ଝଟକା ଦେଲେ ସୁପ୍ରିମକୋର୍ଟ । ୩ ନୂଆ କୃଷି ଆଇନ ଉପରେ ଲଗାଇଲେ ରୋକ୍, ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସ୍ଥଗିତ ରହିବ ଆଇନ୍ ।

203

କନକ ବ୍ୟୁରୋ : ଚାଷୀ ଆନ୍ଦୋଳନ ଉପରେ ଶୁଣାଣି କରି ଆଜି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ୩ଟି ଯାକ ବିବାଦୀୟ କୃଷି ଆଇନକୁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ । ଅର୍ଥାତ୍ ସୁପ୍ରିମକୋର୍ଟଙ୍କ ପରବର୍ତ୍ତୀ ଆଦେଶ ଯାଏଁ ଏହି ଆଇନ୍ ଲାଗୁ ହୋଇପାରିବ ନାହିଁ । ଏଥିସହ କୋର୍ଟ ଏକ ୪ ଜଣିଆ କମିଟି ଗଠନ କରିଛନ୍ତି, ଏହି କମିଟି କୃଷି ଆଇନକୁ ତର୍ଜମା କରିବ । ସମସ୍ତେ କମିଟି ଆଗରେ ନିଜର ପକ୍ଷ ରଖିପାରିବେ ବୋଲି କହିଛନ୍ତି ମୁଖ୍ୟ ବିଚାରପତି । ସେପଟେ କୃଷକ ସଂଗଠନ ଗୁଡିକୁ କିନ୍ତୁ ଏହି ରାୟ ସନ୍ତୁଷ୍ଟ କରିପାରିନାହିଁ । ସେମାନେ କହିଛନ୍ତି, ଆଇନ୍ ରଦ୍ଦ ହେବା ଯାଏଁ ଆନ୍ଦୋଳନ ଚାଲିବ । ଏବଂ କମିଟିରେ ରହିଥିବା ସମସ୍ତ ୪ ଜଣ ବିଶେଷଜ୍ଞ ସରକାରଙ୍କ ସମର୍ଥକ ବୋଲି ଚାଷୀନେତାମାନେ କହିଛନ୍ତି ।

୪୮ ଦିନ ଧରି କୃଷକ ଆନ୍ଦୋଳନ ସାରା ଦେଶକୁ ଦୋହଲାଇଦେଇଛି । ସୁପ୍ରିମକୋର୍ଟ ମଧ୍ୟ ଅନୁଭବ କରିଛନ୍ତି ତୁରନ୍ତ ଏହାର ସମାଧାନ ଲାଗି ବାଟ ବାହାର କରିବାକୁ ପଡିବ । ତେଣୁ ଅନ୍ୟ ବାଟ ନପାଇ ସର୍ବୋଚ୍ଚ ନ୍ୟାୟାଳୟ କୃଷି ଆଇନକୁ ସ୍ଥଗିତ ରଖିଛନ୍ତି । ଏଥିସହ ଏକ ୪ ଜଣିଆ କମିଟି ଗଠନ କରିଛନ୍ତି । କମିଟିରେ ୪ ଜଣ କୃଷି ବିଶେଷଜ୍ଞ ଆଇନର ତର୍ଜମା କରିବେ । ଏହା ପରେ ଆଇନକୁ ନେଇ ପରବର୍ତୀ ନିଷ୍ପତି ନିଆଯିବ ।

ମଙ୍ଗଳବାର ଶୁଣାଣିବେଳେ କୃଷକଙ୍କ ଓକିଲ କହିଥିଲେ କୃଷକଙ୍କୁ ଡର ଲାଗୁଛି ସେମାନଙ୍କ ଜମି ବିକ୍ରି ହୋଇଯିବ । ତେଣୁ କୃଷକମାନେ ଆଇନକୁ ରଦ୍ଦ କରିବାକୁ ଚାହୁଁଛନ୍ତି ।

ଏହାର ଉତରରେ ପ୍ରଧାନବିଚାରପତି କହିଥିଲେ, କିଏ କହୁଛି ଏ କଥା । କୃଷକଙ୍କ ଜମି କୁଆଡେ ଯିବ ନାହିଁ । ଆମ ଅଧିକାର ଅନୁସାରେ ଆଇନ ସସପେଣ୍ଡ ବି ହୋଇପାରେ ।

ଏହା ପରେ କୃଷକଙ୍କ ଓକିଲ କହିଥିଲେ, ଆନ୍ଦୋଳନସ୍ଥଳକୁ ଆଲୋଚନା ପାଇଁ ମୋଦି ଆସିଲେନି ।

ଏହାର ଉତ୍ତରରେ ଆଟର୍ଣ୍ଣି ଜେନେରାଲ କହିଥିଲେ, କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଚାଷୀଙ୍କ ସହତ ଅଷ୍ଟମ ରାଉଣ୍ଡ ଆଲୋଚନା କରିସାରିଛନ୍ତି ।

ଏହା ପରେ ପ୍ରଧାନ ବିଚାରପତି କହିଥିଲେ, ଚାଷୀ ଓ ସରକାରଙ୍କ ମଧ୍ୟରେ ଚାଲିଥିବା ସମସ୍ୟାର ସମାଧାନ ପାଇଁ କୋର୍ଟ ଏକ କମିଟି ଗଠନ କରିବାକୁ ଚାହୁଁଛନ୍ତି । ବର୍ତମାନ ଲାଗି ଆଇନ ସସପେଣ୍ଡ ହେବ, କିନ୍ତୁ ସର୍ତ୍ତ ସହ ।

ସେପଟେ କୋର୍ଟଙ୍କ ନିର୍ଦ୍ଦେଶରେ ଚାଷୀ ସଙ୍ଗଠନଗୁଡିକ ଅସନ୍ତୋଷ ପ୍ରକାଶ କରିଛନ୍ତି । କହିଛନ୍ତି କମିଟିର ସମସ୍ତ ସଦସ୍ୟ ସରକାରଙ୍କ ସମର୍ଥକ । ଚାଷୀ ନେତାଙ୍କ କହିବା କଥା ହେଲା, ଆଇନ ରଦ୍ଦ ନ ହେବା ଯାଏଁ ଏହି ଆନ୍ଦୋଳନ ଜାରି ରହିବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ପରୀକ୍ଷା ନିରୀକ୍ଷା ପାଇଁ ବିଭିନ୍ନ ଚାଷୀ ସଙ୍ଗଠନଗୁଡିକର ବୈଠକ ବୁଧବାର ଦିନ ବସୁଛି ।

ଏବେ କୋର୍ଟଙ୍କ ଦ୍ୱାରା ଗଠିତ କମିଟିରେ ସବୁ ପକ୍ଷ ନିଜର ମତ ରଖିବେ । କମିଟି ଯାହା ରିପୋର୍ଟ ଦେବ ତା ଉପରେ ଆଇନର ଭବିଷ୍ୟତ ନିର୍ଭର କରିବ । କମିଟି ଯଦି ସରକାରଙ୍କ ସପକ୍ଷରେ ମତ ଦିଏ ତାହାହେଲେ ସରକାରଙ୍କର ବଡ ବିଜୟ ହେବ । ସେହିଭଳି ବର୍ତମାନ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଯଦି ଚାଷୀ ଆନ୍ଦୋଳନ ପ୍ରତ୍ୟାହାର ହୁଏ ତେବେ ମଧ୍ୟ ସରକାରଙ୍କୁ ବଡ ଆଶ୍ୱସ୍ତି ମିଳିବ ।