ସରକାରଙ୍କୁ ରାକେଶ ଟିକାୟତଙ୍କ ଚେତାବନୀ, ଦାବି ନମାନିଲେ ଦିଲ୍ଲୀ ଭଳି ଲକ୍ଷ୍ନୌର ସବୁ ରାସ୍ତା ବନ୍ଦ କରାଯିବ

161

କନକ ବ୍ୟୁରୋ : କୃଷକ ନେତା ରାକେଶ ଟିକାୟତ ଆଜି ସରକାରଙ୍କୁ ଏକ ବଡ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି କି ସରକାର ଯଦି କୃଷକମାନଙ୍କର ଦାବି ନମାନନ୍ତି ତେବେ ଲକ୍ଷ୍ନୌରେ ଦିଲ୍ଲୀଭଳି ପରିସ୍ଥିତି ଦେଖାଦେବ ଓ ଉତ୍ତରପ୍ରଦେଶକୁ ଆନ୍ଦୋଳନ ପ୍ରଦେଶ କରିଦେବେ ।

ରାକେଶ ଟିକାୟତ କହିଛନ୍ତି କି ସରକାର ୪ ବର୍ଷ ହେବ ଗହମର ସହାୟକ ମୂଲ୍ୟ ବୃଦ୍ଧି କରିନାହାନ୍ତି । ଏବେ ବି ସରକାରଙ୍କ ଉପରେ ୧୨ ହଜାର କୋଟି ଟଙ୍କା ଚାଷୀଙ୍କର ପଡିରହିଛି । ୭-୮ ଟି ରାଜ୍ୟ କୃଷକମାନଙ୍କ ପାଇଁ ମାଗଣା ବିଜୁଳିର ବ୍ୟବସ୍ଥା କରିଥିବା ବେଳେ ଯୋଗୀ ସରକାର କୃଷିକ୍ଷେତ୍ରକୁ ଶିଳ୍ପଶ୍ରେଣୀଭୂକ୍ତ କରି ବିଜୁଳି ବିଲ୍ ଆଦାୟ କରୁଛନ୍ତି । ଅନ୍ୟପଟେ ସେ ଦାବି କରିଛନ୍ତି କି ଗୁଜୁରାଟ ସରକାରକୁ ପୋଲିସ ଚଳାଉଛି । ଏବେ ଉତ୍ତରପ୍ରଦେଶରେ ବି ପୋଲିସ ଷ୍ଟେଟ କରିବାକୁ ଯୋଗୀ ସରକାର ପ୍ରୟାସ କରୁଛନ୍ତି ବୋଲି ଟିକାୟତ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ କିଷାନ ମହାପଂଚାୟତ ନେଇ ଟିକାୟତ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି କି ‘ଆମେ କୃଷକମାନଙ୍କ ପାଖରେ ପହଂଚିବୁ , ସେପ୍ଟେମ୍ବର ୫ ତାରିଖ ଦିନ ମୁଜାଫରନଗରରେ ଏକ ବିଶାଳ କୃଷକ ପଞ୍ଚାୟତର ଆୟୋଜନ କରାଯିବ,’ । ପୁରା ଦେଶରେ ସରକାର ସାମ୍ବାଦିକ ଓ ଜାଗ୍ରତ ପହରୀ ମାନଙ୍କ ଉପରେ ନଜର ରଖି ଦେଶକୁ ନିଜ ଆୟତକୁ ନେବାକୁ ଚେଷ୍ଟା କରୁଛନ୍ତି । ଅନ୍ୟପଟେ ଯେପର୍ଯ୍ୟନ୍ତ ସରକାର ପାରିତ କରିଥିବା ୩ ଟି କୃଷି ବିରୋଧୀ ଆଇନକୁ ପ୍ରତ୍ୟାହାର କରିନାହାନ୍ତି, ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ଏହାସହ ଲକ୍ଷ୍ନୌକୁ ଚାରିପଟୁ ରାସ୍ତା ବନ୍ଦ କରିବା ନେଇ ଯୋଜନା ପ୍ରସ୍ତୁତ ହୋଇଛି ବୋଲି ସେ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ଅନ୍ୟପଟେ ସଂସଦକୁ ରାହୁଲ ଗାନ୍ଧୀ ଟ୍ରାକ୍ଟର ନେଇ ଆସିବା ଘଟଣାରେ ସେ କହିଛନ୍ତି କି ଏବେ ସବୁ ସାଂସଦ ମାନେ ସଂସଦକୁ ଟ୍ରାକ୍ଟର ସହାୟତାରେ ଆସିବାର ସମୟ ଆସିଯାଇଛି । ଏହାସହ ସରକାର ଅନୁମତି ଦେଲେ ଅଗଷ୍ଟ ୧୫ ତାରିଖରେ ଦିଲ୍ଲୀରେ କୃଷକମାନେ ୫ ଲକ୍ଷ ଟ୍ରାକ୍ଟର ସହିତ ରାଲି କରିବେ ବୋଲି ସେ ଚେତାବନୀ ଦେଇଛନ୍ତି ।