ଆନ୍ଦୋଳନ କରୁଥିବା ଚାଷୀ ବି ଭାରତୀୟ । ସେମାନଙ୍କ ପ୍ରଦର୍ଶନ ପାଇଁ ସ୍ଥାନ ଚିହ୍ନଟ କରନ୍ତୁ ସରକାର : ହରିଆଣା ଓ ପଞ୍ଜାବ ହାଇକୋର୍ଟ

81

କନକ ବ୍ୟୁରୋ : କୃଷକ ଆନ୍ଦୋଳନକୁ ନେଇ ହରିଆଣା ଓ ପଞ୍ଜାବ ହାଇକୋର୍ଟ ଅନେକ କିଛି ଟିପ୍ପଣୀ କରିଛନ୍ତି । ଆଜି ଏନେଇ କୋର୍ଟଙ୍କ ତରଫରୁ କୁହାଯାଇଛି କି, ଆନ୍ଦୋଳନ କରୁଥିବା ଚାଷୀମାନେ ଭାରତୀୟ, ତେଣୁ ସେମାନଙ୍କର ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବାର ଅଧିକାର ରହିଛି । ତେଣୁ ରାଜ୍ୟସରକାର ସ୍ଥାନ ଚିହ୍ନଟ କରନ୍ତୁ, ଯେଉଁଠି ଚାଷୀମାନେ ବିରୋଧ ପ୍ରଦର୍ଶନ କରିପାରିବେ ।

କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ହରିଆଣାର ଅନେକ ଜିଲ୍ଲାରେ ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । କିଛି ସୀମା ବି ସିଲ କରାଯାଇଛି । ଏନେଇ ପଞ୍ଜାବ-ହରିଆଣା ହାଇକୋର୍ଟରେ ଅନେକ ଆବେଦନ ହୋଇଛି ।

ଏହି ମାମଲାକୁ ନେଇ ମଙ୍ଗଳବାର ଦିନ କୋର୍ଟ ଶୁଣାଣି କରିଛନ୍ତି । କୋର୍ଟ କହିଛନ୍ତି କି, ଯଦି କୌଣସି ପ୍ରଦର୍ଶନ ବା ଆନ୍ଦୋଳନ ହେବାକୁ ସରକାର ଅନୁମତି ଦେଇଛନ୍ତି ତେବେ ସରକାରଙ୍କ ତରଫରୁ ସ୍ଥାନ ଚିହ୍ନଟ କରାଯିବାର ଆବଶ୍ୟକତା ରହିଛି । ଏନେଇ ପୂର୍ବରୁ ହାଇକୋର୍ଟ ଉଭୟ ହରିଆଣା, ପଞ୍ଜାବ ଓ କେନ୍ଦ୍ର ସରକାରଙ୍କୁ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ଆଦେଶ ଦେଇଥିଲେ । ହେଲେ କୋର୍ଟରେ ଏହି ଷ୍ଟାଟସ ରିପୋର୍ଟ ଦାଖଲ ହୋଇନାହିଁ । କୋର୍ଟ ଚାହୁଁଛନ୍ତି କି, ଉଭୟ ପକ୍ଷ ବସି ଏହି ସମସ୍ୟାର ସମାଧାନ ପାଇଁ ବାଟ ତିଆରି କରନ୍ତୁ ।

କହିରଖୁ କି ପସଲର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନସିଦ୍ଧ କରିବା ଦାବି ସହ ଅନ୍ୟ କିଛି ଦାବି ଉପରେ କେନ୍ଦ୍ରମନ୍ତ୍ରୀଙ୍କ ସହ ବୈଠକ ଅସଫଳ ହେବା ପରେ କୃଷକମାନେ ମଙ୍ଗଳବାର ଦିନ ଦିଲ୍ଲୀଯାତ୍ରା କରିଛନ୍ତି ।