ରାସ୍ତାରେ ଧାନ ରଖି ଜଗି ବସିଛନ୍ତି ଚାଷୀ: ଦାବି ପୂରଣ ନହେଲେ ଉଠିବେନି ବୋଲି ଦେଲେ ଚେତାବନୀ

79

କନକ ବ୍ୟୁରୋ: ରାସ୍ତାରେ ଧାନ ରଖି ଜଗି ବସିଛନ୍ତି ଚାଷୀ । ଦାବି ପୂରଣ ପାଇଁ ନାରା ଦେଉଛନ୍ତି । ଏ ଖବର ଆସିଛି ଗଂଜାମ ଜିଲ୍ଲା ପୋଲସରାରୁ । ମଣ୍ଡି ସମସ୍ୟାକୁ ନେଇ ଚାଷୀ ହନ୍ତସନ୍ତ ହେବା ପରେ ଏବେ ରାସ୍ତାକୁ ଓହ୍ଲାଇଛନ୍ତି । ଲକ୍ଷ୍ମଣପଲ୍ଲୀ ଠାରେ ଧାନବସ୍ତା ରଖି ପୋଲସରା-ବୁଗୁଡ଼ା ରାସ୍ତା ଅବରୋଧ କରିଛନ୍ତି ଚାଷୀ । ଧାନ ନଉଠିଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।

ସେପଟେ ଖଲିକୋଟରୁ ମଧ୍ୟ ସମାନ ଖବର ସାମ୍ନାକୁ ଆସିଛିି । ବେଗୁନିଆପଡ଼ା ବ୍ଲକର ୩ଟି ପଂଚାୟତର ଚାଷୀ ଧାନବସ୍ତା ରଖି ଦୁଇ ଦିନ ହେଲା ରାସ୍ତା ଅବରୋଧ କରିଛନ୍ତି । ସେଇଠି ରୋଷେଇ କରୁଛନ୍ତି, ସେଇଠି ଖାଉଛନ୍ତି, ସେଇଠି ଶୋଉଛନ୍ତି । ଆନ୍ଦୋଳନର ୩୬ ଘଂଟା ପରେ ଚାଷୀଙ୍କ ସହ ପ୍ରଶାସନିକ ଅଧିକାରୀ ଆଲୋଚନା କରିଛନ୍ତି । ହେଲେ ଏଥିରୁ କିଛି ସୁଫଳ ମିଳିପାରି ନାହିଁ । ଯଦି ଧାନ ସମସ୍ୟା ସମାଧାନ ନହୁଏ, ପଂଚାୟତ ନିର୍ବାଚନରେ ଭୋଟ ଦେବେ ନାହିଁ ବୋଲି ଚେତବନୀ ଦେଇଛନ୍ତି ଚାଷୀ ।

ବାତ୍ୟା, ମରୁଡ଼ିର ସାମ୍ନା କରି ଚାଷୀ କଷ୍ଟେମଷ୍ଟେ ଧାନ ଅମଳ କରିଛନ୍ତି । ହେଲେ ଧାନ ବିକିବାକୁ ନେଇ ଏବେ ସମସ୍ୟା ଭୋଗୁଛନ୍ତି । ବାରମ୍ବାର ଏନେଇ ଚାଷୀ ଦାବି ଉଠାଉଥିଲେ ବି ସମାଧାନ ହୋଇପାରୁ ନାହିଁ ।