ଖୋଲୁନି ମଣ୍ଡି, ଉଠୁନି ଧାନ: ବଲାଙ୍ଗୀର, ସମ୍ବଲପୁର ଏବଂ ବରଗଡରୁ ଆସିଲା ସମାନ ଅଭିଯୋଗ; ଟୋକନ୍ ଅପେକ୍ଷାରେ ଚାଷୀ, ଖୋଲା ଆକାଶ ତଳେ ଧାନ

283

କନକ ବ୍ୟୁରୋ: ମଣ୍ଡି ଖୋଲିବା ପୂର୍ବରୁ ମିଲରେ କୁଇଂଟାଲ କୁଇଂଟାଲ ଧାନ ଓ ଚାଉଳ ଭର୍ତ୍ତି । ପ୍ରଶାସନ ଏମିତିରେ ମିଲରଙ୍କୁ ଘଂଟ ଘୋଡାଉଛି । ପୁଣି ଛାଷୀଙ୍କୁ ଘାରିଲାଣି ଅଭାବୀ ବିକ୍ରୀ ଆଶଙ୍କା । ବଲାଙ୍ଗିରର ଜିଲ୍ଲାରେ ଜିଲ୍ଲାପାଳ ଡିଏଲପିସି ମିଟିଙ୍ଗରେ ନେଭମ୍ବର ୧୫ ଠାରୁ ଧାନ କିଣା ଦିନ ଧାର୍ଯ୍ୟ କରିଥିଲେ । ହେଲେ କିଛି ଅସାଧୁ ମିଲର୍ସ ପ୍ରଶାସନକୁ ହାତ କରି ନିଜ ଖରିଫ ଟାର୍ଗେଟ ୧୫ ତରିଖ ମଧ୍ୟରେ ସରକାରଙ୍କୁ ଦେଲା ପରେ ମଧ୍ୟ ଏବେ ତାଙ୍କ ମିଲ ଗୁଡିକରେ ଗଚ୍ଛିତ ହୋଇ ରହିଛି ବିପୁଳ ପରିମାଣର ଧାନ ଓ ଚାଉଳ । ଜିଲ୍ଲାପାଳଙ୍କୁ ଏନେଇ ଅବଗତ କରାଗଲା ପରେ ମଧ୍ୟ ସେ ଏଥିପ୍ରତି ଧ୍ୟାନ ନଦେଇ ନାହାନ୍ତି ।

ମିଲର୍ସ ମାନେ ମଣ୍ଡି ସାହାର୍ଯ୍ୟରେ ଚାଷୀ ମାନଙ୍କ ଠାରୁ ଧାନ କିଣନ୍ତି । ଏହି ଧାନକୁ ପ୍ରୋସେସ କରି ପୁଣି ଚାଉଳ ସରକାରଙ୍କୁ ଦେଇ ଥାନ୍ତି । ସରକାର ଏବର୍ଷ ଧାନ ପ୍ରତି କୁଇଂଟାଲ ପିଛା ୧୮୧୫ ଟଙ୍କା ଧାର୍ଯ୍ୟ କରିଛନ୍ତି । ଚାଷୀ ମାନଙ୍କ ଠାରୁ ମାତ୍ର ୧୨୦୦ ଟଙ୍କା ପ୍ରତି କୁଇଣ୍ଟାଲ ଦେଇ ଆଗତୁରା କିଣି ମିଲରେ ମହଜୁତ ରଖିଥାନ୍ତି ଧାନ । ଏହାକୁ ସରକାରଙ୍କ ଦାମରେ ଦେଖାଇ ପରେ ପରେ ମାଲାମାଲ୍ ହୋଇଥାନ୍ତି । ଏହାରି ଭିତରେ ଚଳିତ ବର୍ଷ ମଣ୍ଡିରେ ଧାନ ବିକି ନପାରି ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେବ ବୋଲି ଆଶଙ୍କା କଲାଣି ।

ସେପଟେ, ସଂବଲପୁରରେ ବି ସମାନ ଅବସ୍ଥା । ଖୋଲିଲା ମଣ୍ଡି , କିନ୍ତୁ ଉଠିପାରିଲାନି ଚାଷୀଙ୍କ ଧାନ । ଚଳିତ ଖରିଫ୍ ଋତୁ ପାଇଁ ସଂବଲପୁରରେ ଖୋଲିଛି ୧୫ଟି ମଣ୍ଡି । ହେଲେ ଧାନ ବିକିବା ପାଇଁ ଏଥର ଅନଲାଇନ୍ ଟୋକନ୍ ବିକ୍ରି ବ୍ୟବସ୍ଥା କରିଛନ୍ତି ସରକାର । ଯାହାକୁ ନେଇ ଅଡୁଆରେ ପଡିଛନ୍ତି ଚାଷୀ । ଚାଷୀ ଏହି ଅନଲାଇନ୍ ଟୋକନ୍ ବ୍ୟବସ୍ଥାକୁ ବିରୋଧ କରୁଛନ୍ତି । ତେଣୁ ଜିଲ୍ଲାରେ ୧୫ଟି ମଣ୍ଡି ଖୋଲିଥିଲେ ମଧ୍ୟ ଚାଷୀ ଧାନ ବିକ୍ରି କରିବାକୁ ରାଜି ହେଉନାହାନ୍ତି । ଚାଷୀ ଏହି ବ୍ୟବସ୍ଥାକୁ ଗ୍ରହଣ କରୁନଥିବା ବେଳେ ଏପରି ଅନଲାଇନ୍ ଟୋକନ୍ ବ୍ୟବସ୍ଥା କାହାପାଇଁ ବୋଲି ପ୍ରଶ୍ନ କରିଛନ୍ତି ଚାଷୀ । ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ କିନ୍ତୁ କହିଛନ୍ତି ଚାଷୀଙ୍କ ଠାରୁ ଧାନ କିଣାଯିବ । ସେପଟେ ଧାନ ବିକି ନପାରି ଶୀତ ରାତିରେ ବାହାରେ ମଣ୍ଡିରେ ଧାନଜଗି ପଡି ରହିଛନ୍ତି ଚାଷୀ ।