ଷଷ୍ଠ ଦିନରେ ଚାଷୀ ଆନ୍ଦୋଳନ: ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରଖିବାକୁ ଚେତାବନୀ; ଆଜି ବୈଠକ ଡାକିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ

ଅପରାହ୍ନ ୩ଟାରେ ଦିଲ୍ଲୀର ବିଜ୍ଞାନ ଭବନରେ ହେବ ଆଲୋଚନା

124

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କୁ ନୂଆ କୃଷି ଆଇନକୁ ବିରୋଧ କରି ଚାଲିଥିବା କୃଷକ ଆନ୍ଦୋଳନ ଆଜି ଷଷ୍ଠ ଦିନରେ ପହଁଚିଛି ।ହେଲେ ଦାବି ପୂରଣ ନହେବା ଯାଏ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ସିଧାସିଧା ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ଚାଷୀ । ଏପରିକି ଦିଲ୍ଲୀକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତାଗୁଡିକୁ ଜାମ କରି ଦେବାକୁ ଚେତାବନୀ ଦେଇଛନ୍ତି । ଏଥିସହ ଡିସେମ୍ବର ୩ ରେ ଚାଷୀମାନଙ୍କ ସହ ଆଲୋଚନା କରିବାକୁ କେନ୍ଦ୍ର ଦେଇଥିବା ପ୍ରସ୍ତାବକୁ କୃଷକ ସଂଗଠନମାନେ ପ୍ରତ୍ୟାଖାନ କରିଛନ୍ତି । କୌଣସି ସର୍ତ ରଖି ଆଲୋଚନା ସମ୍ଭବ ନୁହେଁ ବୋଲି ଚାଷୀ ନେତାମାନେ କହିିଛନ୍ତି ।

ଅନ୍ୟପଟେ ଆଲୋଚନା ପାଇଁ ଆଜି ବୈଠକ ଡାକିଛନ୍ତି କେନ୍ଦ୍ର ସରକାର । ଅପରାହ୍ନ ୩ଟାରେ ବିଜ୍ଞାନ ଭବନରେ ହେବ ବୈଠକ । ତେବେ ଏହି ବୈଠକକୁ ଚାଷୀମାନେ ଆଲୋଚନା ପାଇଁ ଯିବେ କି ନାହିଁ ତାହା ସ୍ପଷ୍ଟ ହୋଇ ନାହିଁ । ଏହି ଆନ୍ଦୋଳନ ସମୟରେ ଦୁଇ ଜଣ ଆନ୍ଦୋଳନକାରୀ ଚାଷୀଙ୍କର ମୃତ୍ୟୁ ହୋଇଛି ।

ସେପଟେ ଚାଷୀଙ୍କୁ ରୋକିବାକୁ ଦିଲ୍ଲୀ ପୋଲିସ ସମସ୍ତ ବ୍ୟବସ୍ଥା କରିଛି । ରାସ୍ତା ଉପରେ କଂକ୍ରିଟ ବ୍ୟାରିକେଡ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି । ଅନ୍ୟପଟେ ଆନ୍ଦୋଳନରତ ଚାଷୀଙ୍କୁ ସହାୟତା କରିବା ପାଇଁ କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେହିପରି କଂଗ୍ରେସ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରିବା ସହ ସହଯୋଗ କରିବାକୁ କର୍ମୀଙ୍କୁ ଅପିଲ କରିଛି ।