କନକ ବ୍ୟୁରୋ: ସଂଯୁକ୍ତ କିଷାନ ମୋର୍ଚ୍ଚାର ଦିଲ୍ଲୀ ଚଲୋ ପଦଯାତ୍ରା । ଦିଲ୍ଲୀ ଅଭିମୁଖେ ପଦ ଯାତ୍ରାରେ କରିବେ ହଜାର ହଜାର ଚାଷୀ । ଶମ୍ଭୁ ସୀମାରେ ଏକାଠି ହୋଇଥିବା କୃଷକମାନେ ଦିଲ୍ଲୀ ଅଭିମୁଖେ ପଦଯାତ୍ରା କରିବେ । ପାଖାପାଖି ୧୪ ହଜାର କୃଷକ ୧୨ ହଜାର ଟ୍ରାକ୍ଟର ସହ ଆଗକୁ ବଢିବାକୁ ଚେଷ୍ଟା କରିବେ । ଚାଷୀଙ୍କ ରଣହୁଙ୍କାରକୁ ନଜରରେ ରଖି ଶମ୍ଭୁ ଓ ଖନୌରୀ ବର୍ଡରରେ ସ୍ପେଶାଲ ଆଲର୍ଟ ଜାରି କରାଯାଇଛି । ପଞ୍ଜାବ ଡିଜିପି ସବୁ ରେଞ୍ଜର ଏଡିଜି, ଆଇଜିପି ଓ ଡିଆଇଜିଙ୍କୁ ଚିଠି ଲେଖିଛନ୍ତି ।

Advertisment

ପୋକଲିନ୍, ଜେସିବି, ଟିପର ପରି ଭାରୀଯାନ ଅଟକାଇବାକୁ କୁହାଯାଇଛି । ଏପରି ଗାଡି ଯେପରି ଆଗକୁ ନବଢିବ ସେଥିପାଇଁ ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ୧୨ ହଜାର ଟ୍ରାକ୍ଟର, ୩ ଶହ କାର, ୧୦ଟି ମିନି ବସ୍ ଓ ଅନ୍ୟ ଛୋଟ ଗାଡିରେ ହଜାର ହଜାର ଚାଷୀ ଆସିଛନ୍ତି । ସେପଟେ ଆନ୍ଦୋଳନରେ ସାମିଲ ଶମ୍ଭୁ ବର୍ଡର ଆସୁଥିବା ଚାଷୀଙ୍କୁ ଅଧରାସ୍ତାରୁ ଉଠାଇ ନେଇଛି ପୋଲିସ । ଗୁରୁଗ୍ରାମ ମାନସେର ରାସ୍ତା ଉପରୁ ଶହ ଶହ ଚାଷୀଙ୍କୁ ହରିୟାଣା ପୋଲିସ ବଳପୂର୍ବକ ଉଠାଇ ନେଇଛି । ଆଗକୁ ବଢିବା ପାଇଁ କୃଷକମାନେ ଏକ ବିପଜ୍ଜନକ ଯୋଜନା ପ୍ରସ୍ତୁତ କରିଛନ୍ତି । କୃଷକମାନେ ଦୁଇଟି ସ୍ତରରେ ପ୍ରସ୍ତୁତି କରିଛନ୍ତି । ପ୍ଲାନ୍ ଏ ଏବଂ ବି ପ୍ରସ୍ତୁତ କରାଯାଇଛି । ଗୋଟିଏ ଯୋଜନା ବିଫଳ ହେଲେ ଅନ୍ୟ ଯୋଜନାରୁ ଆଗକୁ ବଢ଼ିବା ପାଇଁ ପ୍ରସ୍ତୁତି ଚାଲିଛି । ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ ହରିୟାଣାରୁ ଦିଲ୍ଲୀ ପର୍ଯ୍ୟନ୍ତ କୃଷକଙ୍କ ଦିଲ୍ଲୀ ପଦଯାତ୍ରା ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ।

ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ସମେତ ସମସ୍ତ ଦାବି ନେଇ ଆନ୍ଦୋଳନ କରୁଛନ୍ତି ଚାଷୀ । ଏବେ ସୁଦ୍ଧା କୃଷକ ଓ ସରକାରଙ୍କ ମଧ୍ୟରେ ୪ ରାଉଣ୍ଡ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ନିକଟରେ ଫେବ୍ରୁଆରି ୧୮ରେ ଅନୁଷ୍ଠିତ ବୈଠକରେ ସରକାର କୃଷକମାନଙ୍କୁ ଅନେକ ପ୍ରସ୍ତାବ ଦେଇଥିଲେ, କିନ୍ତୁ ୨୪ ଘଂଟା ମଧ୍ୟରେ କୃଷକମାନେ ଏହି ପ୍ରସ୍ତାବଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିଥିଲେ ।