ଆଜି ଚାଷୀ କରିପାରନ୍ତି ଆନ୍ଦୋଳନ ପ୍ରତ୍ୟାହାର : ଦୀର୍ଘ ୧୫ ମାସ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି ଚାଷୀ

ତିନି କୃଷି ଆଇନ ରଦ୍ଦ ପରେ ଆନ୍ଦୋଳନରତ ଚାଷୀଙ୍କ ଦାବିକୁ ପୂରଣ କରିବା ପାଇଁ ମୋଦୀ ସରକାର ଆଶ୍ୱାସନା ଦେଇଥିବା ସୂଚନା

107

କନକ ବ୍ୟୁରୋ : ଦୀର୍ଘ ୧୫ ମାସ ଧରି ଚାଲିିଥିବା ଚାଷୀ ଆନ୍ଦୋଳନ ଆଜି ପ୍ରତ୍ୟାହାର ହୋଇପାରେ । ଗତକାଲି ଚାଷୀ ସଂଗଠନର ଦାବିକୁ କେନ୍ଦ୍ର ସରକାର ସକରାତ୍ମକ ଭାବେ ଗ୍ରହଣ କରିଥିବା ସୂଚନା ରହିଛି । ଚାଷୀ ସଂଗଠନ ଏକାଠି ହୋଇ ବୈଠକ କରିଥିଲୋ ଏହି ବୈଠକରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତା ରାକେଶ ଟିକାୟତ ମଧ୍ୟ ଆନ୍ଦୋଳନ ପ୍ରତ୍ୟାହାର ହେବା ନେଇ ଇଙ୍ଗିତ ଦେଇଛନ୍ତି । ତେଣୁ ଆଜି ଚାଷୀ ଆନ୍ଦୋଳନ ପ୍ରତ୍ୟାହାର ହେବାର ସମ୍ଭାବନା ରହିଛି ।

ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ସରକାର ଚାଷୀଙ୍କ ପାଖକୁ ଏକ ଚିଠି ପଠାଇଛନ୍ତି । ଯେଉଁଥିରେ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ଉପରେ କମିଟି ତିଆରି ହେବ, ଆନ୍ଦୋଳନ ବେଳେ ଚାଷୀଙ୍କ ଉପରେ ହୋଇଥିବା ମାମଲା ପ୍ରତ୍ୟାହାର ହେବ, ନଡା ଜାଳିଲେ ମାମଲା ରୁଜୁ ହେବ ନାହିଁ ବୋଲି ସରକାର ଆଶ୍ୱାସନା ଦେଇଥିବା ସୂଚନା ରହିଛି । ଏହାପରେ ଆନ୍ଦୋଳନ ପ୍ରତ୍ୟାହାର ହେବ ବୋଲି ସମ୍ଭାବନା ରହିଛି । ଦୀର୍ଘ ୧୫ ମାସ ହେବ ଦିଲ୍ଲୀ ସୀମାରେ ଚାଷୀ ମାନେ ଆନ୍ଦୋଳନରେ ବସିଛନ୍ତି । ତିନି କୃଷି ଆଇନ ରଦ୍ଦ କରିବାକୁ ଆନ୍ଦୋଳନକାରୀ ଚାଷୀଙ୍କର ପ୍ରମୁଖ ଦାବି ଥିଲ।। ଯାହାକୁ କେନ୍ଦ୍ର ସରକାର ରଦ୍ଦ କରିଦେଇଛନ୍ତି ।

ତେବେ ଆନ୍ଦୋଳନ ବେଳେ ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦାବି ଏବଂ ୟୁପି ଲଖିମପୁର ହିଂସା ଘଟଣାରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବହିଷ୍କାର ଦାବି ନେଇ ସରକାର ଚାଷୀଙ୍କୁ କଣ ଆଶ୍ୱାସନା ଦେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଗତକାଲି ସଂସଦରେ ରାହୁଲ ଗାନ୍ଧୀ ଆନ୍ଦୋଳନ ବେଳେ ମୃତ ଚାଷୀଙ୍କ ତାଲିକା ରଖିଥିଲୋ ଏହି ମୃତକଙ୍କ ପଂଜାବରେ ତାଙ୍କ ଦଳର ସରକାର କ୍ଷତିପୂରଣ ଦେବା ସହିତ ଚାକିରି ଦେବାକୁ ନିଷ୍ପତି ନେଇଛି ବୋଲି ସେ କହିଥିଲେ । ରାହୁଲ ଏପରି କହି କେନ୍ଦ୍ର ସରକାରକୁ ମଧ୍ୟ ସମାନ ନୀତି ଆପଣାଇବାକୁ ଦାବି କରିଛନ୍ତି ।