କନକ ବ୍ୟୁରୋ : ଶମ୍ଭୁ, ଗାଜିପୁର, ଚିଲ୍ଲା, କୌନରୀ ସୀମାରେ ଜମିଛି ଚାଷୀଙ୍କ ଭିଡ । ଦିଲ୍ଲୀ ମୁହାଁ ମାଳ ମାଳ ଚାଷୀ । ସରକାରଙ୍କ ସହ ୪ର୍ଥ ରାଉଣ୍ଡ ବୈଠକ ବିଫଳ ହେବା ପରେ ଚାଷୀଙ୍କ ଦିଲ୍ଲୀ ଚଲୋ ଆନ୍ଦୋଳନ ୨୧ ତାରିଖଠୁ ଆରମ୍ଭ ହୋଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ସୀମାକୁ ସିଲ କରାଯିବା ସହ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ଆକାଶମାର୍ଗରୁ ଜଗିଛି ଡ୍ରୋନ । ରାଜପଥରେ ବଡ ବଡ ପଥର ଖଣ୍ଡ ରଖି ଚାଷୀଙ୍କ ଟ୍ରାକ୍ଟର, ଜେସିବି ଓ ଗାଡିକୁ ଅଟକ ରଖିବାକୁ ପ୍ରୟାସ କରାଯାଇଛି । ସେପଟେ ଲୁହା ତାରବାଡରେ ସମ୍ବେଦନଶୀଳସ୍ଥାନକୁ ଘେରାଯାଇଛି । ସେପଟେ ଆନ୍ଦୋଳନ ରୋକିବା ପାଇଁ ଲୁହାବୁହା ଗ୍ୟାସ ବ୍ୟବହାର, ଲାଠିଚାର୍ଜ କରାଯାଉଥିବା ଅଭିଯୋଗ କରୁଛନ୍ତି ଚାଷୀ । ଏଥିସହ ଚାଷୀ ନେତାଙ୍କ ନାଁରେ ଫର୍ଜୀ ସୋସିଆଲ ମିଡିଆ ଆକାଉଁଟ ଖୋଲି ସରକାର ମିଛ ଖବର ପ୍ରଚାର କରୁଥିବା ମଧ୍ୟ ଚାଷୀ ସଂଗଠନ ଅଭିଯୋଗ ଆଣିଛନ୍ତି ।
୪ର୍ଥ ରାଉଣ୍ଡ ବୈଠକ ଫେଲ ମାରିବା ପରେ ପୁଣି ଚାଷୀଙ୍କ ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ସରକାର । କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି, ଚାଷୀଙ୍କ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ । ଏମ୍ଏସ୍ପି, ଚାଷୀଙ୍କୁ ଗିରଫ ଓ ନଡା ପୋଡି ପ୍ରସଙ୍ଗ ସହ ସମସ୍ତ ଦାବି ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଥିବା କହିଛନ୍ତି କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା । ଚାଷୀ ଆନ୍ଦୋଳନ ଉପରେ କେନ୍ଦ୍ର ଗୃହମନ୍ତ୍ରାଳୟ ନଜର ରଖିବା ସହ ପଂଜାବ ଓ ହରିଆଣା ପୁଲିସକୁ ହାଇଆଲର୍ଟରେ ରଖାଯାଇଛି ।
ଚାଷୀଙ୍କ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନ
-୧୪ ହଜାର କୃଷକ ୧୨ ହଜାର ଟ୍ରାକ୍ଟର ସହ ଆସିଛନ୍ତି
-ଶମ୍ଭୁ ଓ ଖନୌରୀ ସୀମାରେ ସ୍ପେଶାଲ ଆଲର୍ଟ ଜାରି କରାଯାଇଛି
-ପଂଜାବ ଡିଜିପି ସବୁ ରେଂଜର ଏଡିଜି, ଆଇଜିପି ଓ ଡିଆଇଜିଙ୍କୁ ଚିଠି ଲେଖିଛନ୍ତି
-ଟ୍ରାକ୍ଟର, ଜେସିବି, ଟିପର ପରି ଭାରିଯାନ ଅଟକାଇବାକୁ କୁହାଯାଇଛି
-୧୨ ହଜାର ଟ୍ରାକ୍ଟର, ୩ ଶହ କାର, ୧୦ଟି ମିନି ବସ୍ ଓ ଅନ୍ୟ ଛୋଟ ଗାଡିରେ ହଜାର ହଜାର ଚାଷୀ ଆସିଛନ୍ତି ।
ସରକାର ଓ ଚାଷୀଙ୍କ ମଧ୍ୟରେ ରବିବାର ୪ର୍ଥ ରାଉଣ୍ଡ ବୈଠକ ବସିଥିଲା । ଚାଷୀଙ୍କ ଆଗରେ କେନ୍ଦ୍ର ସରକାର କିଛି ପ୍ରସ୍ତାବ ରଖିଥିଲେ ଯାହାକୁ ପ୍ରତ୍ୟାଖ୍ୟାନ କରିଥିଲେ ଚାଷୀ ସଂଗଠନ । ବୈଠକ ବିଫଳ ପରେ ଏବେ ଦିଲ୍ଲୀ ମୁହାଁ ଚାଷୀଙ୍କ ଆଗାମୀ ଆଭିମୁଖ୍ୟ ଉପରେ ନଜର ରହିଛି ।