ତେଜିଲା ଚାଷୀ ଆନ୍ଦୋଳନ : କର୍ଣ୍ଣାଲରେ ୧୨ ଘଣ୍ଟିଆ ମୋବାଇଲ ଇଂଟରନେଟ ବ୍ୟାନ କଲେ ଖଟ୍ଟର ସରକାର

ଲାଠିଚାର୍ଜ ନିର୍ଦ୍ଦେଶ ଦେଇଥିବା ଆଇଏଏସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଚାଷୀଙ୍କ ଧାରଣା ଜାରି

95

କନକ ବ୍ୟୁରୋ : କୃଷକ ଆନ୍ଦୋଳନକୁ ଆଖିରେ ରଖି କର୍ଣ୍ଣାଲରେ ମୋବାଇଲ ଇଂଟରନେଟ ଓ ଏସଏମଏସ ସର୍ଭିସକୁ ସସପେଣ୍ଡ କରିଛନ୍ତି ହରିୟାଣା ସରକାର । ଆନ୍ଦୋଳନ ବେଳେ ଲାଠିଚାର୍ଜ ନିର୍ଦ୍ଦେଶ ଦେଇଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେଧାରଣାରେ ବସିଛନ୍ତି ଚାଷୀ । ତେଣୁ ଗୁଜବ ପ୍ରଚାର ରୋକିବା ସହ ଆଇନଶୃଙ୍ଖଳା ପରିସ୍ଥିତକୁ ଆଖିରେ ରଖି ଇଂଟରନେଟ ସେବା ବ୍ୟାନ କରାଯାଇଥିବା କହିଛନ୍ତି ହରିୟାଣା ସରକାର । କର୍ଣ୍ଣାଲରେ ଆଜି ରାତି ୧୨ଟା ଯାଏଁ ଇଂଟରନେଟ ବ୍ୟାନ ଜାରି ରହିବ ।

ଗତକାଲି ପ୍ରଶାସନ ଓ ଚାଷୀଙ୍କ ମଧ୍ୟରେ ଆଲୋଚନାରୁ କୌଣସି ନିଷ୍କର୍ସ ବାହାରି ପାରିନଥିଲା । ତେଣୁ ଆଜିଠୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି ଚାଷୀ । କିଛି ଦିନ ତଳେ କର୍ଣ୍ଣାଲର ଏକ ବୈଠକରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ମୋନହର ଲାଲ ଖଟ୍ଟର ଯିବା କାର୍ଯ୍ୟକ୍ରମ ଥିଲା । ସେହି ସମୟରେ କର୍ଣ୍ଣାଲ ଟୋଲପ୍ଲାଜା ନିକଟରେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ ପ୍ରଦର୍ଶନ କରିବାକୁ ଏକାଠି ହୋଇଥିବା ଚାଷୀଙ୍କ ଉପରେ ଲାଠିଚାର୍ଜ କରିଥିଲା ପୁଲିସ ।

ଏହାର କିଛି ଘଣ୍ଟା ପରେ ପୁଲିସ ଅଧିକାରୀଙ୍କୁ କର୍ଣ୍ଣାଲ ପ୍ରଶାସନିକ ଅଧିକାରୀ ଆଇଏଏସ ଆୟୁଷ ସିହ୍ନା, ଚାଷୀଙ୍କ ମୁଣ୍ଡ ଫଟେଇ ଦେବାକୁ ନିର୍ଦ୍ଦେଶ ଦେଉଥିବା ଏକ ଭିଡିଓ କ୍ଲିସ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଭିଡିଓ ଭାଇରାଲ ପରେ ଚାଷୀ ଆନ୍ଦୋଳନ ତେଜିବାରେ ଲାଗିଛି । ଆଇଏଏସ ଆୟୁଷ ସିହ୍ନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଧାରଣାରେ ବସିଛନ୍ତି ହରିୟାଣାର ଚାଷୀ ।