୧୦୦ ଦିନରେ ପହଁଚିଲା ଚାଷୀ ଆନ୍ଦୋଳନ । ହରିୟାଣାରେ ଏକ୍ସପ୍ରେସ ୱେକୁ ୫ ଘଂଟା ଧରି ଅବରୋଧ କଲେ ଚାଷୀ । ସେପଟେ ଟୁଇଟ କରି କେନ୍ଦ୍ର ସରକାରଙ୍କୁ ଘେରିଲେ ରାହୁଲ ।

74

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ନୂଆ କୃଷିନୀତି ପ୍ରତ୍ୟାହାର ଦାବିରେ ଶହେ ଦିନରେ ପହଁଚିଛି ଚାଷୀ ଆନ୍ଦୋଳନ । ଏହି ଅବସରରେ ଆଜି ଜାତୀୟ ରାଜପଥ ଅବରୋଧ କରି ଆନ୍ଦୋଳନରତ ଚାଷୀ କେନ୍ଦ୍ର ସରକାରଙ୍କ ବିରୋଧରେ ନିଜର ଅସନ୍ତୋଷ ପ୍ରଦର୍ଶନ କରିଛନ୍ତି । ଆଜି କୁଣ୍ଡଲି, ମାନେସର-ପାଲୱାଲ ଏକ୍ସପ୍ରେସ ୱେରେ ୫ ଘଂଟିଆ ରାଜପଥ ଅବରୋଧ ଫଳରେ ଗମନାଗମନ ଠପ୍ ହୋଇଯାଇଥିଲା ।

ଆଜି ହରିୟାଣାର ୱେଷ୍ଟର୍ଣ୍ଣ ପେରିଫେରାଲ ଏକ୍ସପ୍ରେସ ୱେକୁ ଚାଷୀ ଘେରିଥିଲେ । ରାସ୍ତା ଉପରେ ଠିଆ ହୋଇ ହଜାର ହଜାର ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିଲେ । ଏହି ସମୟରେ ସେମାନଙ୍କର ଗୋଟିଏ ଦାବି ଥିଲା ଯେ, ନୂଆ କୃଷି ଆଇନ ପ୍ରତ୍ୟାହାର ନହେଲେ ଆଗକୁ ଆନ୍ଦୋଳନ ତେଜିବ ।

ସେହିପରି ହରିୟାନାର ସୋନିପଥର ରାସ୍ତା ଉପରେ ଚାଷୀ ପ୍ରତିବାଦ ଯାତ୍ରା କରିଥିଲେ । ହାତରେ ପତାକା , ମୁହଁରେ ନାରା ନେଇ କେନ୍ଦ୍ର ସରକାରଙ୍କ ନୂଆ କୃଷିନୀତି ପ୍ରତ୍ୟାହାର ଦାବିରେ ଚାଷୀ ଏଠାରେ ପେରିଫେରାଲ ଏକ୍ସପ୍ରେସୱେ ଅବରୋଧ କରି ରାଜପଥ ଉପରେ ବସିଥିଲେ ।ସେହିପରି ହରିୟାଣାର କୁଣ୍ଡଲିରେ ମଧ୍ୟ ଚାଷୀ ପ୍ରତିବାଦ କରିଛନ୍ତି । ଏହାସହ ୟୁପିର ଗୌତମବୁଦ୍ଧନଗର ଦେଇ ଆସିଥିବା ଏକ୍ସପ୍ରେସହାଇୱେରେ ମଧ୍ୟ ଚାଷୀ କରିଛନ୍ତି ଅବରୋଧ । ଚାଷୀଙ୍କୁ ଅଟକାଇବାକୁ ପୋଲିସ ରାସ୍ତା ଉପରେ ବ୍ୟାରିକେଡ୍ ଲଗାଇବାକୁ ବାଧ୍ୟ ହୋଇଥିଲା ।

ଅନ୍ୟପଟେ ଚାଷୀ ଆନ୍ଦୋଳନକୁ ଟୁଇଟ୍ କରି ସମର୍ଥନ ଜଣାଇଛନ୍ତି ରାହୁଲ ଗାନ୍ଧି । ରାହୁଲ ଟୁଇଟ୍ କରିଛନ୍ତି , ଯାହାର ପୁଅ ସୀମାରେ ଦେଶର ସୀମାରେ ଦେଶ ପାଇଁ ଜୀବନ ଦେଉଛି, ସେମାନଙ୍କ ପାଇଁ ଦିଲ୍ଲୀ ସୀମାରେ ସରକାର କଂଟା ବିଛାଇ ଦେଇଛନ୍ତି । ଚାଷୀ ଆନ୍ଦୋଳନ ପ୍ରତି କେନ୍ଦ୍ର ସରକାର ନଜର ଦେଉନଥିବାରୁ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ପ୍ରତି ଅସନ୍ତୋଷ ପ୍ରକାଶ କରିଛନ୍ତି ବିରୋଧୀ । ମୋଦି ସରକାର ଚାଷୀ ଆନ୍ଦୋଳନକୁ ଏକ ଆନ୍ଦୋଳନରେ ପହଁଚାଇ ଦେଲେଣି । ଆଗକୁ କେନ୍ଦ୍ର ସରକାର ଏହାର ସମ୍ମୁଖୀନ ହେବେ ବୋଲି କହିଛନ୍ତି ବିରୋଧୀ ।

ଗତ ଡିସେମ୍ୱର ମାସରୁ ଦିଲ୍ଲୀ ସୀମାରେ ଜୋର ଧରିଛି ଚାଷୀ ଆନ୍ଦୋଳନ । ହଜାର ହଜାର ଚାଷୀ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରେ ଅଡି ବସିଛନ୍ତି । ରାଜପଥ ଉପରେ ଖରା–ବର୍ଷା-ଶୀତ ସବୁକୁ ସାମ୍ନା କରି ନିଜ ଦାବିରେ ଅଟଳ ଅଛନ୍ତି ଚାଷୀ । ଗତ ଜାନୁଆରୀ ୨୬ ଲାଲକିଲ୍ଲା କାଣ୍ଡକୁ ବାଦ ଦେଲେ ସେଭଳି ଅନ୍ୟ କୌଣସି ଘଟଣା ସାମ୍ନାକୁ ଆସିନି । ତେବେ ଦାବି ପୂରଣ ନହେଲା ଯାଏ, ପଛକୁ ହଟିବାର ନାହିଁ ବୋଲି ସ୍ପଷ୍ଟ କରିଛି ଚାଷୀ ସଂଗଠନ ।