୨୮ଦିନରେ କୃଷକଙ୍କ ଆନ୍ଦୋଳନ । ପୁଣି ଆଲୋଚନା ପାଇଁ ଚାଷୀ ସଂଗଠନକୁ ଡାକିଲେ ସରକାର, ଜିଦରେ ଅଟଳ ଚାଷୀ

97

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ୨୮ଦିନରେ ପହଂଚିଛି ଚାଷୀଙ୍କ ଆନ୍ଦୋଳନ । ସରକାର ଓ ଚାଷୀ ସଂଗଠନ ମଧ୍ୟରେ ଆଲୋଚନା ପରେ ବି ସମାଧାନ ବାଟ ଫିଟୁନାହିଁ । ଏହାରି ଭିତରେ ପୁଣି ଚାଷୀଙ୍କୁ ଆଲୋଚନା ପାଇଁ ଡାକିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ । ସେପଟେ ଡିସେମ୍ବର ୨୫ତାରିଖରେ ୬ଟି ରାଜ୍ୟର ଚାଷୀଙ୍କ ସହ ଭିଡିଓ କନଫରେସିଂ ମାଧ୍ୟମରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

୨୮ଦିନରେ ପହଁଚିଲା ଚାଷୀ ଆନ୍ଦୋଳନ । ସରକାର ଓ ଚାଷୀଙ୍କ ସହ ୫ ପର୍ଯ୍ୟାୟ ଆଲୋଚନା ପରେ ବି ଏଯାଏଁ ସମାଧାନର ବାଟ ବାହାରିନାହିଁ । ନିଜ ଜିଦରେ ଅଟଳ ଥିବା ଚାଷୀ ହାଡଭଙ୍ଗା ଶୀତରେ ଖୋଲା ଆକାଶ ତଳେ, ଶୀତ କାକରରେ ଆନ୍ଦୋଳନ ଜାରି ରଖିଛନ୍ତି ।

ଏହାରି ଭିତରେ ପୁଣି ଆଲୋଚନା ପାଇଁ ଚାଷୀଙ୍କୁ ଡାକିଛନ୍ତି ସରକାର । ନୂଆ କୃଷି ଆଇନରେ ଚାଷୀ ମାନେ କଣ ଯୋଡିବା ପାଇଁ ଚାହୁଁଛନ୍ତି ଏବଂ କଣ ବାଦ୍ ଦେବାକୁ ଚାହୁଁଛନ୍ତି ସେ ନେଇ ସରକାର ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି । ତେବେ ଷଷ୍ଠ ପର୍ଯ୍ୟାୟ ଆଲୋଚନାରୁ ସମାଧାନର ବାଟ ବାହାରିବ ବୋଲି ଆଶ ରଖିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ।

ରାଜଧାନୀର ପ୍ରବେଶ ପଥରେ ଜଗି ରହିଛନ୍ତି ଚାଷୀ । ଗାଜିପୁର ସୀମା, ଚିଲ୍ଲା ବୋର୍ଡର, ସିଂଘୁ ସୀମାରେ ପ୍ରତିବାଦ କରୁଛନ୍ତି ଚାଷୀ । ଆଗକୁ କଣ ହେବ ରଣନୀତି ଏନେଇ ଚାଷୀ ସଂଗଠନ ମଧ୍ୟରେ ଆଲୋଚନା ଜାରି ରହିଛି । ସରକାରଙ୍କ ପ୍ରସ୍ତାବ ଉପରେ ବିଚାର କରିପାରନ୍ତି ଚାଷୀ ନେତା । ପୁର୍ନବାର ବୈଠକ କରିବା ପାଇଁ ସରକାରଙ୍କ ପକ୍ଷରୁ ୪୦ଜଣ ସଂଗଠନକୁ ନୂଆ ପ୍ରସ୍ତାବ ଦିଆଯାଇଛି । ବୈଠକ କେବେ ହେବ ସେ ନିଷ୍ପତି ଚାଷୀଙ୍କ ଉପରେ ଛାଡିଛନ୍ତି ସରକାର ।

ଗୋଟିଏ ପଟେ ସରକାର ନୂଆ କୃଷି ଆଇନ ପ୍ରତ୍ୟାହାର ନକରିବା ପାଇଁ ଏକ ପ୍ରକାର ସ୍ପଷ୍ଟ କରିଥିବା ବେଳେ ଅନ୍ୟ ପଟେ ନିଜ ଜିଦରେ ଅଟଳ ଅଛନ୍ତି ଚାଷୀ ସଂଗଠନ । ନୂଆ କୃଷି ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନରତ ଚାଷୀ କହିଛନ୍ତି ।

ଡିସେମ୍ବର ୨୫ତାରିଖ ଅର୍ଥାତ ପୂର୍ବତନ ପ୍ରଧାନନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ଜନ୍ମଜୟନ୍ତୀ ଅବସରରେ ଚାଷୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନୂଆ କୃଷି ଆଇନର ଉପକାରିତା ସମ୍ପର୍କରେ ଚାଷୀଙ୍କୁ ଅବଗତ କରାଇବେ ମୋଦୀ । ଉତରପ୍ରଦେଶର ଅଢେଇ ହଜାର କୃଷକଙ୍କ ସହ ଚୌପାଲ ମାଧ୍ୟମରେ ଯୋଗଯୋଗ କରିବ ବିଜେପି ।