ଶାହାଙ୍କ ସହ କୃଷକଙ୍କ ଆଲୋଚନା ପୁଣି ଫେଲ୍ : ନୂଆ କୃଷି ଆଇନରେ ସଂଶୋଧନ ନେଇ ଆଜି ଲିଖିତ ପ୍ରସ୍ତାବ ଦେବେ ସରକାର

ପୁଣି ବସିବ କୃଷକଙ୍କ ବୈଠକ , ଆଇନ ପ୍ରତ୍ୟାହାର କରିବାକୁ ମନାକଲେ ସରକାର

159

କନକ ବ୍ୟୁରୋ : ନୂଆ କୃଷି ଆଇନରେ କେତେକ ପରିବର୍ତନ ନେଇ କୃଷକ ସଂଗଠନ ଗୁଡିକୁ ଲିଖିତ ପ୍ରସ୍ତାବ ଦେବେ ସରକାର । ଏହା ଉପରେ ବିଚାର କରିବେ ଚାଷୀ ସଂଗଠନ ଗୁଡିକ । ବିଚାର କରିବା ପରେ ସେମାନଙ୍କ ମତାମତ ଜଣାଇବେ । ଚାଷୀ ସଂଗଠନ ଗୁଡିକର ଭାରତ ବନ୍ଦ ପରେ ଚିନ୍ତାରେ ପଡି ଯାଇଥିବା କେନ୍ଦ୍ର ସରକାର, ସମାଧାନର ରାସ୍ତା ଖୋଜୁଛନ୍ତି । ଏଥିପାଇଁ ଗତକାଲି ବିଳମ୍ବିତ ରାତି ଯାଏଁ ଚାଷୀ ସଂଗଠନର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

ଏଥିପାଇଁ ଇଣ୍ଡିଆନ କାଉନସିଲ ଅଫ ଏଗ୍ରିକଲଚରାଲ ରିସର୍ଚ୍ଚ- ଗେଷ୍ଟହାଉସରେ ପହଂଚିଥିଲେ କୃଷକ ସଂଗଠନର ୧୩ ଜଣ ନେତା । ବୈଠକ ଶେଷ ହେବାପରେ ଚାଷୀନେତା ମାନେ କହିଛନ୍ତି ନୂଆ କୃଷି ଆଇନରେ କେତେକ ସଂଶୋଧନ ନେଇ ଲିଖିତ ପ୍ରସ୍ତାବ ଦେବେ କେନ୍ଦ୍ର ସରକାର । ତେଣୁ ଆଜି ସରକାର ଓ କୃଷକ ନେତାଙ୍କ ମଧ୍ୟରେ ହେବାକୁ ଥିବା ଷଷ୍ଠ ପର୍ଯ୍ୟାୟ ଆଲୋଚନା ହେବନାହିଁ । ଏପରିକି ସରକାରଙ୍କ ପ୍ରସ୍ତାବ ପରେ ଆଗାମୀ ବୈଠକକୁ ଆସବା ନେଇ ଚିନ୍ତା କରିବେ କୃଷକ ସଂଗଠନ ।

ସରକାର କିନ୍ତୁ ନୂଆ କୃଷି ଆଇନକୁ ଫେରାଇ ନେବାକଥା କହିନଥିବାରୁ ପୁଣିଥରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ ନେତା । ତେବେ ସରକାର କଣ ପ୍ରସ୍ତାବ ଦେଉଛନ୍ତି ଏବଂ ଏହାକୁ ଚାଷୀ ସଂଗଠନ କିଭଳି ଗ୍ରହଣ କରୁଛନ୍ତି, ତା ଉପରେ ନିର୍ଭର କରୁଛି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଚାଷୀମାନଙ୍କ ଆନ୍ଦୋଳନର ଭାଗ୍ୟ ।