୧୬ ଦିନରେ ପହଞ୍ଚିଲା ଚାଷୀ ଆନ୍ଦୋଳନ, ବାହାରୁନି ସମାଧାନର ବାଟ । ସୁପ୍ରିମକୋର୍ଟକୁ ଗଲେ ଭାରତୀୟ କିଷାନ୍ ୟୁନିୟନ୍, କୃଷି ଆଇନକୁ ରଦ୍ଦ କରିବାକୁ ଆବେଦନ ।

131

କନକ ବ୍ୟୁରୋ : ୧୬ଦିନରେ ପହଞ୍ଚିଛି ଚାଷୀଙ୍କ ଆନ୍ଦୋଳନ । ସରକାରଙ୍କ ସହ ତୁହାକୁ ତୁହା ଆଲୋଚନା ପରେ ବି ସମାଧାନର ବାଟ ବାହାରୁନାହିିଁ । ଏହାରି ଭିତରେ ଆଜି କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଭାରତୀୟ କିଷାନ ୟୁନିଅନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସରକାରଙ୍କ ଦ୍ୱାରା ପ୍ରଣିତ ତିନୋଟି କୃଷି ଆଇନକୁ ବେଆଇନ ଦର୍ଶାଇ ସେଗୁଡିକୁ ରଦ୍ଦ କରିବାକୁ ୟୁନିଅନ ନିଜ ଆବେଦନରେ ଦର୍ଶାଇଛନ୍ତି । ଭାରତୀୟ କିଷାନ ୟୁନିଅନର ସଭାପତି ଭାନୁ ପ୍ରତାପ ସିଂ ଏହି ପିଟିସନ ଦାଖଲ କରିଛନ୍ତି । ନୂଆ କୃଷି ଆଇନ ଭାରତୀୟ କୃଷିର ବ୍ୟବସାୟୀକରଣ କରିବ ଏବଂ କୃଷକମାନଙ୍କୁ କର୍ପୋରେଟ ହାଉସ ଗୁଡିକ ନିୟନ୍ତ୍ରଣରେ ରଖିବେ ବୋଲି ଏହି ପିଟିସନରେ ଉଲ୍ଲେଖ କରିଛନ୍ତି ।

ସେପଟେ ସିଂଘୁ ସୀମାରେ ଧାରଣାରେ ବସିଥିବା କୃଷକଙ୍କ ବିରୋଧରେ ରୁଜୁ ହୋଇଛି ଏଫଆଇଆର । ଧାରଣାସ୍ଥଳରେ ମହାମାରୀ ପାଇଁ ଲାଗୁ ହୋଇଥିବା ସାମାଜିକ ଦୂରତା ନିୟମ ପାଳନ କରୁନଥିବା ଅଭିଯୋଗ ଆଣି ଅଲ୍ଳୀପୁର ଥାନାରେ କୃଷକମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ୨୯ ନଭେମ୍ବରରେ କୃଷକମାନେ ଲାମପୁର ସୀମା ଦେଇ ଜୋରଜବରଦସ୍ଥି ଦିଲ୍ଲୀ ଭିତରକୁ ପଶି ଆସିଥିଲେ ଓ ସେହିଦିନଠାରୁ ସିଂଘୁ ସୀମାର ନିଷିଦ୍ଧାଞ୍ଚଳରେ ଆନ୍ଦୋଳନ ଜାରି ରଖିଛନ୍ତି ।

ନୂଆ କୃଷି ଆଇନ ପ୍ରତ୍ୟାହାର ଦାବିରେ ୧୬ ଦିନ ହେଲା କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । କିନ୍ତୁ ସରକାର ଆଇନରେ ସଂଶୋଧନ ଆଣିବାକୁ ରାଜି ଥିଲେ ମଧ୍ୟ ଆଇନ ପ୍ରତ୍ୟାହାର କରିବାକୁ ଖୋଲାଖୋଲି ମନା କରି ଦେଇଛନ୍ତି । ଯାହାକୁ ନେଇ ଆନ୍ଦୋଳନକାରୀ କୃଷକ ଓ ସରକାରଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ସେପଟେ ଚାଷୀ ଆନ୍ଦୋଳନକୁ ନେଇ ଚାଷୀ ସଂଗଠନ ନେତା ରାକେଶ ଟିକା କହିଛନ୍ତି ଏବେ ଚାଷୀ ଓ ସରକାର ଉଭୟଙ୍କୁ ପଛକୁ ଘୁଂଚିବାକୁ ପଡିବ । କେନ୍ଦ୍ର ସରକାର ଆଇନ୍ ପ୍ରତ୍ୟାହାର କରି ପଛକୁ ହଟନ୍ତୁ, ଚାଷୀ ସଂଗଠନ ଆନ୍ଦୋଳନ ଭାଙ୍ଗି ଘରକୁ ଫେରିଯିବେ ।

ସେପଟେ ଆନ୍ଦୋଳନରୁ ଓହରିବା ପାଇଁ ପୁଣି ଚାଷୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ତେବେ ସରକାରଙ୍କ ପକ୍ଷ ରଖି କେନ୍ଦ୍ର କୃଷି ମନ୍ତ୍ରୀ କହିଛନ୍ତି ଯେ, ସରକାର ଆଣିଥିବା ନୂଆ ଆଇନ ଚାଷୀଙ୍କ ସପକ୍ଷରେ ରହିଛି ।

ଆଉ ଏହାରି ଭିତରେ ଦିଲ୍ଲୀରେ ୧୬ତମ ଦିନରେ ପହଞ୍ଚିଛି କୃଷକ ଆନ୍ଦୋଳନ । ପ୍ରତିବାଦରେ ଆଜି ସାମିଲ ହୋଇଛନ୍ତି ଜାଟ ସଂଗଠନ । ଚାଷୀଙ୍କ ସହ ସ୍ୱର ମିଳାଇବାକୁ ଶହ ଶହ ସଂଖ୍ୟାରେ ଜାଟ୍ ଆଜି ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଏକାଠି ଅଧିକ ଦିନ ଆନ୍ଦୋଳନ ଜାରି ରଖିବାକୁ ସାଙ୍ଗରେ ଆବଶ୍ୟକୀୟ ସାମଗ୍ରୀକୁ ଗାଡିରେ ନେଇ ଆସିଛନ୍ତି ଆନ୍ଦୋଳନକାରୀ । ସିଂଘୁ ସୀମାରୁ ବୁରାରୀ ସବୁଠି ଜୋରଦାର ଆନ୍ଦୋଳନ ହେବ ବୋଲି ଜାଟ୍ ସଂଗଠନ ଚେତାବନୀ ଦେଇଛି ।