କରୋନା କାଳରେ କୃଷକଙ୍କ ଆନ୍ଦୋଳନ । ୮ ମାସରେ ପହଞ୍ଚିଲା କୃଷି ଆଇନ ବିରୋଧରେ କୃଷି ଆନ୍ଦୋଳନ, ଟିକାୟତ କହିଲେ ଜାରି ରହିବ ପ୍ରତିବାଦ ।

85

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ଦେଶରେ କୃଷକ ଆନ୍ଦୋଳନ ଆଜି ୮ ମାସରେ ପହଞ୍ଚିଚି । ଦିଲ୍ଲୀ ସୀମାରେ ୮ମାସ ଧରି କୃଷକମାନେ ଆନ୍ଦୋଳନରେ ବସିଛନ୍ତି । ଆଜି ଆନ୍ଦୋଳନର ୭ମାସ ପୂରଣ ଅବସରରେ ଚାଷୀମାନେ ଅଲଗା ଅଲଗା ରାଜ୍ୟରେ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବାକୁ ଉଦ୍ୟମ କରିଛନ୍ତି । ଦିଲ୍ଲୀ ସୀମାରେ ଅନସନରେ ବସିଥିବା ଚାଷୀମାନେ ମଧ୍ୟ ଦିଲ୍ଲୀରେ ଟ୍ରାକ୍ଟର ରାଲି କରିଛନ୍ତି । ଯାହାକୁ ନେଇ ରାଜଧାନୀ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ଏହାରି ଭିତରେ କୃଷକ ଦଳ ନେତା ରାକେଶ ଟିକାୟତ ଗିରଫ ହେବାର ଖବର ସାମ୍ନାକୁ ଆସିଥିଲା । ହେଲେ ସେ ନିଜେ ଟ୍ୱିଟ୍ କରି ଏହି କଥାକୁ ଖଣ୍ଡନ କରିଛନ୍ତି । ରାକେଶ ଗାଜିପୁର ସୀମାରେ ଥିବା ଟ୍ୱିଟ୍ କରି ଜଣାଇଛନ୍ତି । ଦେଶରେ ଲାଗୁ ହୋଇଥିବା ନୂଆ କୃଷି ନିୟମକୁ ବିରୋଧ କରୁଛନ୍ତି କୃଷକମାନେ । ଏନେଇ କୃଷି ନେତା ଓ ସରକାରଙ୍କ ମଧ୍ୟରେ ୧୧ ରାଉଣ୍ଡ ଆଲୋଚନା ହୋଇଛି । ହେଲେ ଏଥିରୁ ସୁଫଳ ମିଳିପାରି ନାହିଁ ।

କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଆନ୍ଦୋଳନକାରୀ ଚାଷୀମାନେ ଦାବି କରିଆସୁଛନ୍ତି । ହେଲେ ନୂଆ କୃଷି ଆଇନକୁ ସମ୍ପୂର୍ଣ୍ଣ ହଟାଇଦେବାକୁ ରାଜି ନୁହେଁ କେନ୍ଦ୍ର ସରକାର, ବରଂ ସାମୟିକ ଭାବେ ବନ୍ଦ ରଖିବାକୁ କେନ୍ଦ୍ର ସରକାର ରାଜି ହୋଇଥିଲେ । ସେପଟେ ଚାଷୀ ଆନ୍ଦୋଳନ ଛାଡ଼ି ଆଲୋଚନା ପାଇଁ ଆଗେଇ ଆସିବାକୁ କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ।