କେନ୍ଦ୍ର ସରକାର ବନାମ କୃଷକଙ୍କ ସଂଗ୍ରାମ: ଦିଲ୍ଲୀ-ହରିୟାଣା ସୀମାରେ ୫ମ ଦିନରେ ଚାଷୀ ଆନ୍ଦୋଳନ; କେନ୍ଦ୍ରର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ ପରେ ଆଜି କରିବେ ଦିଲ୍ଲୀ ଜାମ

125

କନକ ବ୍ୟୁରୋ: କୃଷକ ଆଇନକୁ ବିରୋଧ କରି  ଦୁଇମାସ ଧରି ଚାଲିଥିବା ଚାଷୀଙ୍କ ଆନ୍ଦୋଳନ ଏବେ ଦିଲ୍ଲୀରେ ଆସି ପହଂଚିଛି ।  କୃଷକମାନେ ଗତ ୪ ଦିନ ଧରି ଦିଲ୍ଲୀ-ହରିୟାଣା ସୀମାରେ ରାଜରାସ୍ତାରେ ଆନ୍ଦୋଳନ କରିଛନ୍ତି ।  ଜନ୍ତର ମନ୍ତରରେ ଧାରଣା ଦେବାକୁ ସେମାନେ  ଜିଦ ଧରି ବସିଛନ୍ତି । ଗତକାଲି ରାତିରେ ବିଜେପି ସଭାପକି ଜେ.ପି ନଡ୍ଡାଙ୍କ ଘରେ  ଗତକାଲି ରାତିରେ ଉଚ୍ଚସ୍ଚରୀୟ ବୈଠକ ବସିଥିଲା । ଏଥିରେ ଗୃହମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂ, ନରେନ୍ଦ୍ର ସିଂ ତୋମାର ସାମିଲ ହୋଇଥିଲେ । ବୈଠକ ପ୍ରାୟ ୨ ଘଂଟା ଧରି ଚାଲିଥିଲା ।  ସେପଟେ ଦାବି ପୂରଣ ନ ହେଲେ ଚାଷୀ ଦିଲ୍ଲୀ ଜାମ କରିବାକୁ ଚେତାବନୀ ଦେଇଛନ୍ତି । ଆନ୍ଦୋଳନ କରୁଥିବା ଚାଷୀ ବୁରାଡି ଯିବାକୁ ମନା କରି ଦେଇଛନ୍ତି । ସେମାନଙ୍କ କହିବା କଥା ହେଉଛି, ବୁରାଡି ହେଉଛି ଏକ ମୁକ୍ତ ଜେଲ ।

ଚାଷୀ ସଂଗଠନ ଭାରତୀୟ କିଷାନ ୟୁନିଅନ୍ କ୍ରାନ୍ତିକାରୀ ପଂଜାବର ରାଜ୍ୟ ଅଧ୍ୟକ୍ଷ ସୁରଜିତ ସିଂହ ଫୁଲେ କହିଛନ୍ତି, ଆଲୋଚନା ପାଇଁ ରଖାଯାଇଥିବା ସର୍ତ ଚାଷୀଙ୍କ ପାଇଁ ଅପମାନ । ଆମେ ବୁରାଡି କେବେ ବି ଯିବୁ ନାହିଁ, ବୁରାଡି ଓପନ ପାର୍କ ନୁହେଁ ବରଂ ଏକ ଓପନ ଜେଲ । ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଯନ୍ତରମନ୍ତର ନେବା ନାଁରେ ବୁରାଡି ପଡିଆକୁ ନେଇ ବନ୍ଦ କରିଦିଆଯିବ ବୋଲି ସୂଚନା ମିଳିଛି । ବୁରାଡି ଜେଲ ଯିବା ଅପେକ୍ଷା ଚାଷୀମାନେ ଦିଲ୍ଲୀର ପାଂଚଟି ପ୍ରବେଶ ପଥକୁ ଅବରୋଧ କରାଯିବ । ସେମାନଙ୍କ ପାଖରେ ୪ ମାସରେ ରାସନ ରହିଛି, ତେଣୁ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ସୁରଜିତ ସିଂହଫୁଲେ କହିଛନ୍ତି ।

ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କୃଷକମାନଙ୍କ ସମସ୍ତ ଦାବି ନେଇ ଆସନ୍ତା ଡିସେମ୍ବର ୩ପୂର୍ବରୁ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲେ । ଏହା ସହ ବୁରାଡି ମୈଦାନକୁ ସମସ୍ତ ଆନ୍ଦୋଳନକାରୀ ଯିବା ପର ଦିନ ସରକାର ସେମାନଙ୍କ ସହ ଆଲୋଚନା କରିବେ ବୋଲି ଶାହା କହିଥିଲେ । ତେବେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତ କୃଷକ ସଂଗଠନ । ସେପଟେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସରକାର ସବୁ ବେଳେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି  ।