କେନ୍ଦ୍ରର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ ଆନ୍ଦୋଳନରତ ଚାଷୀ: କହିଲେ ବୁରାଡି ଏକ ମୁକ୍ତ ଜେଲ,ପାଲଟା ସରକାରଙ୍କୁ ପ୍ରଶ୍ନ କଲେ କିଏ ମାଗିଥିଲା କୃଷି ବିଲ

ସେପଟେ ଆନ୍ଦୋଳନ ଛାଡି ଆଲୋଚନାକୁ ଆସିବା ପାଇଁ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ଅପିଲ

99

କନକ ବ୍ୟୁରୋ: କୃଷି ଆଇନ୍ ୨୦୨୦ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀ ବୁରାଡି ଯିବାକୁ ମନା କରି ଦେଇଛନ୍ତି । ସେମାନଙ୍କ କହିବା କଥା ହେଉଛି, ବୁରାଡି ହେଉଛି ଏକ ମୁକ୍ତ ଜେଲ । ଚାଷୀ ସଂଗଠନ ଭାରତୀୟ କିଷାନ ୟୁନିଅନ୍ କ୍ରାନ୍ତିକାରୀ ପଂଜାବର ରାଜ୍ୟ ଅଧ୍ୟକ୍ଷ ସୁରଜିତ ସିଂହ ଫୁଲେ କହିଛନ୍ତି, ଆଲୋଚନା ପାଇଁ ରଖାଯାଇଥିବା ସର୍ତ ଚାଷୀଙ୍କ ପାଇଁ ଅପମାନ । ଆମେ ବୁରାଡି କେବେ ବି ଯିବୁ ନାହିଁ, ବୁରାଡି ଓପନ ପାର୍କ ନୁହେଁ ବରଂ ଏକ ଓପନ ଜେଲ । ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଯନ୍ତରମନ୍ତର ନେବା ନାଁରେ ବୁରାଡି ପଡିଆକୁ ନେଇ ବନ୍ଦ କରିଦିଆଯିବ ବୋଲି ସୂଚନା ମିଳିଛି ।

ବୁରାଡି ଜେଲ ଯିବା ଅପେକ୍ଷା ଚାଷୀମାନେ ଦିଲ୍ଲୀର ପାଂଚଟି ପ୍ରବେଶ ପଥକୁ ଅବରୋଧ କରାଯିବ । ସେମାନଙ୍କ ପାଖରେ ୪ ମାସରେ ରାସନ ରହିଛି, ତେଣୁ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ସୁରଜିତ ସିଂହଫୁଲେ କହିଛନ୍ତି । ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କୃଷକମାନଙ୍କ ସମସ୍ତ ଦାବି ନେଇ ଆସନ୍ତା ଡିସେମ୍ବର ୩ପୂର୍ବରୁ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲେ । ଏହା ସହ ବୁରାଡି ମୈଦାନକୁ ସମସ୍ତ ଆନ୍ଦୋଳନକାରୀ ଯିବା ପର ଦିନ ସରକାର ସେମାନଙ୍କ ସହ ଆଲୋଚନା କରିବେ ବୋଲି ଶାହା କହିଥିଲେ ।

ତେବେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତ କୃଷକ ସଂଗଠନ । ଏନେଇ ଆଜି ସିଙ୍ଘୁଠାରେ ଘନ ଘନ ବୈଠକ ବସିବା ପରେ ଏହି ନିଷ୍ପତି ନେଇଛନ୍ତି ଚାଷୀ । ସେପଟେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସରକାର ସବୁ ବେଳେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । ତେଣୁ ଚାଷୀମାନେ ଆନ୍ଦୋଳନ ଛାଡି ଆଲୋଚନାକୁ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି ।