ଶେଷ ହେଲା ସଂଯୁକ୍ତ କିଷାନ ମୋର୍ଚ୍ଚାର ବୈଠକ, ସରକାରଙ୍କ ସହ ଆଲୋଚନା ପାଇଁ ୫ ଜଣିଆ କମିଟି ଗଠିତ

127

କନକ ବ୍ୟୁରୋ : କୃଷକ ଆନ୍ଦୋଳନର ଆଗାମୀ ରଣନୀତି ନେଇ ଶନିବାର ଦିନ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସରକାରଙ୍କ ସହ କୃଷକମାନଙ୍କର ଦାବି ନେଇ ଆଲୋଚନା କରିବାକୁ ଏକ ୫ ଜଣିଆ କମିଟି ଗଠନ କରାଯାଇଛି । କିଷାନ ମୋର୍ଚ୍ଚାର ଆଗାମୀ ବୈଠକ ଚଳିତମାସ ୭ ତାରିଖରେ ପୁଣି ଅନୁଷ୍ଠିତ ହେବ ବୋଲି କୁହାଯାଇଛି ।

ସୂତ୍ର ସୂଚନା ମୁତାବକ ଗଠିତ ହୋଇଥିବା ୫ ଜଣିଆ କମିଟିରେ ୟୁଦ୍ଧବୀର ସିଂ, ଶିବ କୁମାର କକ୍କା, ବଲବୀର ରାଜେବାଲ, ଅଶୋକ ଘାବଲେ ଓ ଗୁରୁନାମ ସିଂ ଚଢୁନୀ ରହିଛନ୍ତି । ବୈଠକ ପରେ କୃଷକ ନେତା ରାକେଶ ଟିକାୟତ କହିଛନ୍ତି କି ଏହି କମିଟି ସଂଯୁକ୍ତ କିଷାନ ମୋର୍ଚ୍ଚାର ଶୀର୍ଷ କମିଟି । ଏହି କମିଟି ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବ । ଅନ୍ୟପଟେ ଏପର୍ଯ୍ୟନ୍ତ ସରକାର ଅଧିକାରୀ ସ୍ତରରେ ଆଲୋଚନା ପାଇଁ ଡାକି ନଥିବା କଥା କହିଛନ୍ତି ରାକେଶ ଟିକାୟତ । ଯଦି ସରକାର ଆଲୋଚନା ପାଇଁ ନିମନ୍ତ୍ରଣ କରନ୍ତି ତେବେ ଏହି ୫ ଜଣିଆ କମିଟି ସରକାରଙ୍କ ସହ ଆଲୋଚନା ପାଇଁ ଯିବେ ବୋଲି ଟିକାୟତ କହିଛନ୍ତି ।

ରାକେଶ ଟିକାୟତ ପୁଣି ସ୍ପଷ୍ଟ କରିଛନ୍ତି କି ଏବେ ଆନ୍ଦୋଳନ ପ୍ରତ୍ୟାହାର ହେବ ନାହିଁ । ସରକାର ଯେପର୍ଯ୍ୟନ୍ତ କୃଷକଙ୍କ ଅନ୍ୟ ଦାବି ନେଇ ନିଷ୍ପତ୍ତି ନନେଇଛନ୍ତି ସେପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି । କହିରଖୁ କି ୧ ବର୍ଷରୁ ଅଧିକ ସମୟ ଧରି ଆନ୍ଦୋଳନ ଫଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଟି କୃଷି ଆଇନକୁ ପ୍ରତ୍ୟାହାର କରିଛନ୍ତି । ହେଲେ ଏବେ କୃଷକମାନେ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନ ପରିସରକୁ ଆଣିବା, ଆନ୍ଦୋଳନ କ୍ରମରେ କୃଷକ ମାନଙ୍କ ଉପରେ ହୋଇଥିବା ମାମଲା ପ୍ରତ୍ୟାହାର କରିବା ଓ ଆନ୍ଦୋଳନରେ ମୃତ୍ୟୁବରଣ କରିଥିବା ଚାଷୀଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ ଦାବି କରି ଆନ୍ଦୋଳନ ଜାରି ରଖିଛନ୍ତି ।