ବରଗଡରେ ନଷ୍ଟ ହେଉଛି ପରିବା । ଅଭାବୀ ବିକ୍ରି ଯୋଗୁଁ ଜମିରୁ ଟମାଟୋ ତୋଳୁନାହାନ୍ତି ଚାଷୀ, ବିଲରେ ଖତ ହେଉଛି ବନ୍ଧାକୋବି ।

174

କନକ ବ୍ୟୁରୋ : ପନିପରିବା ଅଭାବି ବିକ୍ରିକୁ ନେଇ ଚିନ୍ତାରେ ବରଗଡ ଜିଲ୍ଲାର ଚାଷୀ । ବନ୍ଧାକୋବି ଓ ଟମାଟୋର ଅଭାବି ବିକ୍ରି ଯୋଗୁଁ ଚାଷୀ କ୍ଷତିରେ ପଡିଛନ୍ତି । ଚାଷ ପାଇଁ ଯେତେ ଟଙ୍କା ଖର୍ଚ୍ଚ କରିଥିଲେ, ସେତିକି ପାଇବା ମୁସ୍କିଲ ହୋଇପଡିଲାଣି । ବରଗଡ ଜିଲ୍ଲା ବିଜେପୁର ଅନ୍ତର୍ଗତ ଏମଗଣ୍ଡପାଲି ଗାଁରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଖବର ପାଇ ସ୍ଥିତି ପରଖିଥିଲା କନକ ନ୍ୟୁଜ ଟିମ୍ ।

ବିଲରେ ପଡି ପଡି ନଷ୍ଟ ହୋଇଯାଉଛି ଟମାଟୋ, କ୍ଷେତରେ ପଡି ରହିଛି ବନ୍ଧା କୋବି । ପନିପରିବାର ଅଭାବି ବିକ୍ରି ଯୋଗୁଁ ପନିପରିବା ଅମଳ କରିବାକୁ ଚାହୁଁ ନାହାନ୍ତି ଚାଷୀ । ଚାଷୀଙ୍କ ଏଭଳି ଦୁର୍ଦ୍ଦଶ ଦେଖିବାକୁ ମିଳିଛି ବରଗଡ ଜିଲ୍ଲା ଏମ-ଗଣ୍ଡପାଲି ଗାଁରେ । ଟମାଟୋ ଓ ବନ୍ଧା କୋବି କିଲୋ ପିଛା ୧ ଟଙ୍କାରେ ବିକ୍ରି ହେଉଛି । ତେଣୁ ମୂଲ ମିଳୁନାହିଁ, ଫଳରେ ବିଲରେ ପଡିରହି ନଷ୍ଟ ହେଉଛି ପରିବା ।

ଏମଗଣ୍ଡପାଲି ଗାଁର ହେକ୍ଟର ହେକ୍ଟର ଚାଷ ଜମିରେ ଟମାଟୋ, ବନ୍ଧାକୋବି ସହ ବିଭିନ୍ନ ପନିପରିବା ଚାଷ ହୋଇଛି । ହେଲେ ବଜାରରେ ପନିପରିବାର ଦର କମ୍ ଥିବାରୁ ଚାଷୀ ଅକଲରେ ପଡିଯାଇଛନ୍ତି । ଧାର କରଜ କରି ପନିପରିବା ଚାଷରେ ସାର, ଔଷଧ ଦେଇଥିଲା ଚାଷୀ । କିନ୍ତୁ ଅଭାବି ବିକ୍ରି ଯୋଗୁଁ ଏବେ ରୁଣ କେମିତି ପରିଶୋଧ କରିବ ସେହି ଚିନ୍ତାରେ ପଡିଛନ୍ତି । ଅନ୍ୟପଟେ କୃଷି ଅଧିକାରୀ କହିଛନ୍ତି, ଜିଲ୍ଲାରେ ଏକ ଶୀତଳଭଣ୍ଡାର କରିବା ପାଇଁ ସରକାରଙ୍କୁ ଲିଖିତ ଭାବେ ଜଣାଇ ଦିଆଯାଇଛି ।