ଆନ୍ଦୋଳନକୁ ନେଇ କୃଷକ ସଂଗଠନର କଠୋର ଆଭିମୁଖ୍ୟ: ଦାବି ପୂରଣ ନହେଲେ ୨୦୨୪ଯାଏଁ ଆନ୍ଦୋଳନ କରିବାକୁ ପ୍ରସ୍ତୁତ; ୨୬ର ଟ୍ରାକ୍ଟର ରାଲି ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ମନ୍ତ୍ରୀଙ୍କ କଡା ପ୍ରତିକ୍ରିୟା, ଆଇନ ପ୍ରତ୍ୟାହାରର ପ୍ରଶ୍ନ ଉଠୁନି

104

କନକ ବ୍ୟୁରୋ: କନକ ବ୍ୟୁରୋ: ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନରତ କୃଷକ ସଂଗଠନ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଆସନ୍ତା ୧୯ ତାରିଖରେ ପୁଣି କେନ୍ଦ୍ର ସରକାର ଓ କୃଷକ ସଂଗଠନ ମଧ୍ୟରେ ଆଲୋଚନା ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ହେଲେ ଦାବି ପୂରଣ ପାଇଁ ୨୦୨୪ ମେ ମାସ ଯାଏଁ ଆନ୍ଦୋଳନ କରିବାକୁ କୃଷକ ପ୍ରସ୍ତୁତ ବୋଲି କହିଛନ୍ତି ଚାଷୀ ନେତା ରାକେଶ ଟିକାୟତ ।

ନାଗପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀରେ ଚାଲିଥିବା ଆନ୍ଦୋଳନକୁ ସେ ବୈଚାରିକ କ୍ରାନ୍ତି ବୋଲି କହିଛନ୍ତି । ତିନି କୃଷି ଆଇନ ପ୍ରତ୍ୟାହାର ନହେଲେ ୨୦୨୪ରେ ସାଧାରଣ ନିର୍ବାଚନ ହେବା ଯାଏଁ ଚାଷୀ ଆନ୍ଦୋଳନ କରିବେ ବୋଲି ଚେତାଇ ଦେଇଛନ୍ତି ରାକେଶ ଟିକାୟତ । ଏଥିସହ ଜାନୁୟାରୀ ୨୬ରେ କୃଷକଙ୍କ ଟ୍ରାକ୍ଟର ରାଲିକୁ ବାତିଲ କରାଯିବ ନାହିଁ ବୋଲି କହିଛନ୍ତି ଚାଷୀ ନେତା । ସେପଟେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି, ଚାଷୀଙ୍କ ସହ ଆଲୋଚନା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ତେବେ କୃଷି ଆଇନ ପ୍ରତ୍ୟାହାର କରିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି ।