ଚାଷୀଙ୍କ ମନରେ ଛନକା ଭରିଛି ବାତ୍ୟା । ବର୍ଷାରେ ଫସଲ ନଷ୍ଟ ହେବା ଭୟରେ ଜମିରୁ ଫସଲ ସୁରକ୍ଷିତ ସ୍ଥାନକୁ ନେବାକୁ କରୁଛନ୍ତି ଉଦ୍ୟମ ।

128

କନକ ବ୍ୟୁରୋ : ବର୍ଷା ପୂର୍ବରୁ ଧାନ ଅମଳ ପାଇଁ ବିଭିନ୍ନ ଜିଲ୍ଲାରେ ଚାଷୀଙ୍କ ତତ୍ପରତା । ଧାନ ଫସଲ ନଷ୍ଟ ହୋଇଯିବା ଭୟରେ ଧାମ ଅମଳରେ ବ୍ୟସ୍ତ ଚାଷୀ । ବର୍ଷ ସାରା ଚାଷୀ ମୁଣ୍ଡଝାଳ ତୁଣ୍ଡରେ ମାରି ଭଲ ଧାନ ଅମଳ ଅପେକ୍ଷାରେ ଥିଲା । କିନ୍ତୁ ଏବେ ସମ୍ଭାବିତ ବର୍ଷା ଭୟରେ ସୁନାର ଫସଲ ଉଜୁଡିବାକୁ ବସିଛି । ଗଞ୍ଜାମ ଖଲ୍ଲିକୋଟରେ ବର୍ଷକର ଧାନ ଅମଳକୁ ବଞ୍ଚାଇବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଲାଗିଛନ୍ତି ଚାଷୀ ।

ମାଲକାନଗିରିରେ ଚାଷୀଙ୍କ ମନରେ ଛନକା । ଜମିରେ ପଡିଛି ଧାନ, ଅମଳକୁ ଅପେକ୍ଷା । ବାତ୍ୟା ଜୱାଦର ଆତଙ୍କ ଭିତରେ ମାଲକାନଗିରିର ଚାଷୀ ବି ଆତଙ୍କିତ ଅବସ୍ଥାରେ ଅଛନ୍ତି । ଜମିରେ ଧାନ ପଡି ରହିଛି, ଏ ଯାଏଁ ଧାନ ଅମଳ ହୋଇପାରିନାହିଁ । ଲଘୁଚାପରେ ଫସଲ ନଷ୍ଟ ହେବା ଭୟରେ ଚାଷୀମାନେ ନିଜ ଜମିରୁ ଧାନ ସୁରକ୍ଷିତ ସ୍ଥାନକୁ ନେବାକୁ ଉଦ୍ୟମ କରୁଛନ୍ତି । ଏପଟେ କୃଷି ବିଭାଗ ତରଫରୁ ଭୟଭିତ ନ ହେବାକୁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନତା କରାଯାଇଛି । ଗଜପତିରେ ବି ସେଇ ଏକ ଅବସ୍ଥା ଦେଖାଦେଇଛି । ଧାନକୁ ସରୁକ୍ଷିତ ରଖିବାରେ ବ୍ୟସ୍ତ ଅଛନ୍ତି ଚାଷୀ ।

ରାୟଗଡାରେ କପା ଚାଷୀଙ୍କ ମୁଣ୍ଡର ଚଡକ । କପା ତୋଳି ଘରେ ସାଇତି ରଖୁଛି ଚାଷୀ । ବର୍ଷାରେ ପ୍ରଭାବିତ ହେବା ଆଶଙ୍କାରେ ରାୟଗଡାର କପା ଚାଷୀମାନେ ତତ୍ପର ହୋଇପଡିଛନ୍ତି । ବର୍ଷା ପ୍ରଭାବରେ ଯଦି କପା ଓଦା ହୋଇଯାଏ ତେବେ କପାର ମାନ କମିଯିବ ଓ କମ ଦରରେ ବିକ୍ରି କରିବାକୁ ପଡିବ । ତେଣୁ ବାଧ୍ୟ ହୋଇ ଚାଷୀଙ୍କୁ କପା ତୋଳି ଆଣି ଘରେ ସାଇତି ରଖିବାକୁ ପଡୁଛି । ଏଥର ଜିଲ୍ଲାର ୨୨ ହଜାର ୬୦୦ ହେକ୍ଟର ଜମିରେ କପା ଚାଷ ହୋଇଛି ।