ସରକାରଙ୍କୁ ଜବାବ ଦେବାକୁ ବଳ ଗୋଟାଉଛି ଚାଷୀ ସଙ୍ଗଠନ : ପଞ୍ଜାବ ଓ ହରିଆଣାରୁ ଆଜି ଅଧିକ ଚାଷୀ ଦିଲ୍ଲୀ ଅଭିମୁଖେ ବାହାରିବେ

128

କନକ ବ୍ୟୁରୋ : ଗୋଟିଏ ପଟେ ସମାଧାନ ବାହାରି ପାରୁନାହିଁ । ଅନ୍ୟପଟେ ନିର୍ଣ୍ଣାୟକ ଲଢେଇ ପାଇଁ ଅଧିକ ବଳ ଗୋଟାଉଛନ୍ତି ଚାଷୀ ସଂଗଠନ । ମିଳିଥିବା ସୂଚନା ଅନୁସାରେ ଆଜି ପଞ୍ଜାବ ଓ ହରିଆଣାରୁ ଅଧିକ ଚାଷୀ ଦିଲ୍ଲୀ ଅଭିମୁଖେ ବାହାରିବେ । ଗତ ୬ଦିନ ହେଲା ଦିଲ୍ଲୀ ସୀମାକୁ ଜାମ କରି ଦେଇଛନ୍ତି ଚାଷୀ । ସତର୍କତା ଦୃଷ୍ଟିରୁ ସରକାର ସୁରକ୍ଷା ବ୍ୟବସ୍ଥାକୁ ଆହିରି କଡାକଡି କରିଥିବାବେଳେ ଚାଷୀ ସଂଗଠନ ମଧ୍ୟ ଲଢେଇକୁ ଜୋରଦାର କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି । ପଞ୍ଜାବ ଓ ହରିଆଣାରେ ପଂଚାୟତ ଗୁଡିକ ନିଷ୍ପତି କରିଛନ୍ତି, ପ୍ରତି ଚାଷୀ ପରିବାରରୁ ଜଣେ ପ୍ରତିନିଧି ଦିଲ୍ଲୀରେ ପହଂଚିବେ ।

ସେଥିପାଇଁ ଟ୍ରକରେ ରାସନ ଓ ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଲଦା ହେଉଛି । ଏଗୁଡିକ ଖୁବଶୀଘ୍ର ଦିଲ୍ଲୀ ଅଭିମୁଖେ ବାହାରିବେ । ପଞ୍ଜାବରୁ ଦିଲ୍ଲୀ ଆସି ବିକ୍ଷୋଭ ପ୍ରଦର୍ଶନ କରୁଥିବା ଚାଷୀମାନଙ୍କୁ ସେଠାକାର କଳାକାର, ଗାୟକ, ଲେଖକଙ୍କ ପରେ ଖେଳାଳୀମାନଙ୍କ ସମର୍ଥନ ମଧ୍ୟ ବଢିବାରେ ଲାଗିଛି । ହରିଆଣାରେ କୃଷକଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ସେଠାକାର ସାହୁକାର ଓ କରଜଦାତା । କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ଏମାନଙ୍କ ପ୍ରଭାବ କମ୍ କରୁଥିବାରୁ ଚାଷୀ ଆନ୍ଦୋଳନରେ ଏମାନେ ମଧ୍ୟ ସାମିଲ ହୋଇଛନ୍ତି ।