କନକ ବ୍ୟୁରୋ: ଜୈବିକ ପଦ୍ଧତିରେ ଫୁଲକୋବି ଚାଷକରି ଲାଭବାନ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ଚାଷୀ । ବାଲିଶଙ୍କରା, କୁତ୍ରା ଓ ହେମଗିରି ବ୍ଲକରେ ପାଖାପାଖି ୨୫୦ ଏକର ଜମିରେ ୩୧୫ ଜଣ ଚାଷୀ ଏହି ଚାଷ କରିଛନ୍ତି । ତେବେ ସୁନ୍ଦରଗଡ଼ ଆଇଟିଡିଏ ପକ୍ଷରୁ ସେମାନଙ୍କୁ ମାଗଣା ବିହନ ଓ ଜୈବିକ ସାର ଯୋଗାଇଦିଆଯାଉଥିବାରୁ ସେମାନେ ଲାଭବାନ ହୋଇଛନ୍ତି । ଜୈବିକ ପଦ୍ଧତିରେ ଏହି ଚାଷ ହେଉଥିବାରୁ ବଜାରରେ ଏହାର ଚାହିଦା ମଧ୍ୟ ଭଲ ରହିଛି । ଏହାଦ୍ୱାରା ଚାଷୀମାନେ ଲାଭବାନ ହେଉଛନ୍ତି ।

Advertisment

ରାଜ୍ୟ ସରକାରଙ୍କ ମିଶନ ଜୀବିକା ଅଧିନରେ କୃଷି ଓ ଉଦ୍ୟାନ କୃଷିଭିତ୍ତିକ କାର୍ଯ୍ୟକ୍ରମକୁ ହାତକୁ ନିଆଯାଉଛି । ଏଥିରେ କୃଷି ଓ ଉଦ୍ୟାନ କୃଷି ଭିତ୍ତିକ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ଦିଆଯାଉଛି । ଆଇଟିଡିଏ ଅଧିନରେ ମୋଟ ୯ଟି ବ୍ଲକ ରହିଛି । ତା ଭିତରୁ ୩ଟି ବ୍ଲକର ଫୁଲ କୋବି ଚାଷ କରାଯାଉଛି । ଫୁଲ କୋବି ଅମଳ ପରେ ଏହାକୁ ସ୍ଥାନୀୟ ବଜାରରେ ବିକ୍ରି କରି ଭଲ ଦି ପଇସା ରୋଜଗାର କରୁଛନ୍ତି ଚାଷୀ । ମିଶନ ଜୀବିକାର ବୈଜ୍ଞାନିକମାନେ କ୍ଷେତ୍ର ପରିଦର୍ଶନ କରି ଫସଲର ସ୍ଥିତି ଅନୁଧ୍ୟାନ କରୁଛନ୍ତି । ରୋଗପୋକ ପରିଚାଳନା ପାଇଁ ଚାଷୀଙ୍କୁ ପରାମର୍ଶ ଦେଉଛନ୍ତି ବିଶେଷଜ୍ଞ ।

ଚଳିତ ବର୍ଷ ଫୁଲ କୋବି ସହିତ ଟମାଟୋ, ଲଙ୍କା, ବାଇଗଣ ଏବଂ ଆଳୁ ଚାଷ କରିଛନ୍ତି ଚାଷୀ । ଫୁଲକୋବି ଏକ ଋତୁକାଳୀନ ଫସଲ ହୋଇଥିବାରୁ ଚାଷୀଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାରେ ଏହା ବେଶ ସହାୟକ ହୋଇପାରିଛି ।