କଲବଲ ହେଉଛନ୍ତି କପା ଚାଷୀ: ବିଳମ୍ବିତ ମଣ୍ଡି ଯୋଗୁଁ ବିକ୍ରି ହୋଇପାରୁନି କପା । ବିକ୍ରି ନହେବାରୁ ଗାଡି ଭଡା କରି କପା ବୋହି ଫେରୁଛନ୍ତି ଚାଷୀ ।

119

କନକ ବ୍ୟୁରୋ: ଧଳା ସୁନାର ଅଭାବୀ ବିକ୍ରି । ବିଳମ୍ବରେ ମଣ୍ଡି ଖୋଲିବାରୁ କପା ବିକ୍ରି କରିନପାରି ଘରକୁ ଫେରୁଛନ୍ତି ଚାଷୀ । କଳାହାଣ୍ଡିରୁ ଆସିଛି ଏଭଳି ଖବର । ବିକ୍ରି ହୋଇନପାରି ବସ୍ତା ବସ୍ତା କପା ଗଦା ହୋଇରହିଛି । ହେଲେ ଭାରତୀୟ କପା ନିଗମ କିଣୁ ନାହିଁ । ଫଳରେ ବଳକା କପାକୁ ଚାଷୀ ବିକ୍ରି କରିନପାରି ପୁଣି ଗାଡି ଭଡା କରି ଘରକୁ ଫେରାଇନେଇଛି ।

କଳାହାଣ୍ଡି ଜିଲ୍ଲା ଉକ୍ରେଳା କପା ମଣ୍ଡିର ଏହି ଦୃଶ୍ୟକୁ ଦେଖନ୍ତୁ । ମଣ୍ଡି ଖୋଲିଛି, ମଣ୍ଡିରେ ବସ୍ତା ବସ୍ତା କପା ପଡି ରହିଛି । ହେଲେ ମାନ ଓ ଆର୍ଦତାକୁ ନେଇ କପା କିଣିବାକୁ ମନା କରୁଛି ଭାରତୀୟ କପା ନିଗମ । ମଣ୍ଡି ଖୋଲିବା ପରେ ଚାଷୀଙ୍କ ଠାରୁ କଟନୀ ଛଟନୀ କରି ମାତ୍ର ୬ ଗାଡି କପା କିଣିବା ପରେ ନିଗମ ଆଉ କିଣୁ ନାହିଁ । ତେଣୁ ଗାଡି ଭଡା କରି ମଣ୍ଡିକୁ କପା ନେଇଥିବା କିଛି ଚାଷୀ ବିକ୍ରି କରିନପାରି ପୁଣି ଗାଡି ଭଡା କରି ଘରକୁ ଫେରାଇ ନେଉଛି ।

ତେବେ ବର୍ଷକର ଧଳାସୁନାକୁ ବିକ୍ରି କରନପାରି କଳାହାଣ୍ଡିର ଚାଷୀ ହତାଶ ହୋଇପଡିଛନ୍ତି । ମଣ୍ଡିରେ କପା ବିକ୍ରି କରିବାକୁ ଆଶା ରଖିଥିବା ଚାଷୀଙ୍କୁ ନିୟମ କାନୁନ ଦେଖାଇ ନିରାଶ କରିଛି ଭାରତୀୟ କପା ନିଗମ । ଏପରି ମଣ୍ଡିକୁ ଗାଡି ଭଡା ପୁଣି ଫେରାଇ ନେବା ବେଳେ ଗାଡି ଭଡା ଟଙ୍କା ଗଣି ଚାଷୀମାନେ ଅଧିକ ଖର୍ଚ୍ଚାନ୍ତ ହୋଇଛନ୍ତି ।