କନକ ବ୍ୟୁରୋ: ଦିଲ୍ଲୀରେ ନବନିର୍ମାଣ କୃଷକ ସଂଗଠନର ଜାତୀୟ ସମ୍ମିଳନୀ ଆଜି ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ରାଜ୍ୟର ୫ ହଜାରରୁ ଅଧିକ ଚାଷୀଙ୍କ ସମେତ ୨୨ଟି ରାଜ୍ୟର ୧୦ ହଜାର ଚାଷୀ ସାମିଲ ହେବେ । ଏହି ସମ୍ମିଳନୀକୁ ଉଦଘାଟନ କରିବା ପାଇଁ ବିଶିଷ୍ଟ ଗାନ୍ଧୀବାଦୀ ନେତା ଆନ୍ନା ହଜାରେ ଗତକାଲି ସନ୍ଧ୍ୟରେ ଦିଲ୍ଲୀ ପହଞ୍ଚିଛନ୍ତି ଓ ମହାରାଷ୍ଟ୍ର ସଦନରେ ଅବସ୍ଥାନ କରୁଛନ୍ତି । ଆନ୍ନା କହିଛନ୍ତି ଯେ, କୃଷକମାନେ ଏକତ୍ରିତ ହୋଇ ସ୍ୱର ଉତ୍ତୋଳନ କଲେ ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ପଡ଼ିବ । ହକ୍ ପାଇଁ ଲଢ଼େଇ ଜୋରଦାର କରିବାକୁ ହେବ ବୋଲି ସେ କହିଛନ୍ତି । ଦିଲ୍ଲୀ ଦରବାରରେ ଚାଷୀଙ୍କ ଦ୍ୱାରା ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ ଦାବି ଉପସ୍ଥାପନ କରାଯିବ ।

Advertisment

publive-imageବିଭିନ୍ନ ରାଜ୍ୟରୁ ଟ୍ରେନ୍ ଯୋଗ ଚାଷୀମାନେ ଦିଲ୍ଲୀ ଆସି ପହଞ୍ଚିବାକୁ ଲାଗିଛନ୍ତି । ମଧ୍ୟପ୍ରଦେଶରୁ ଈଶ୍ୱର ଚନ୍ଦ୍ର ତ୍ରିପାଠୀ, ହରିୟାଣାରୁ ପ୍ରତାପ ଚୌଧୁରୀ, ଗୁରୁନାମ ସିଂହ ଚାନ୍ଦେରୀ, ଉତ୍ତର ପ୍ରଦେଶରୁ ହିମାଂଶୁ ତିଓ୍ଵାରୀ, ହରପାଳ ସିଂହ, ରାଜସ୍ଥାନରୁ ରାମପାଲ ଜାଟ୍, କୁଅଁର ରାଜେନ୍ଦ୍ର ନରେଲା, ଉତ୍ତରାଖଣ୍ଡରୁ ପି.ସି. ତିଓ୍ଵାରୀ, ଛତିଶଗଡ଼ରୁ ରବି ବର୍ମା, ବିହାରରୁ ସାଗର କୁମାର, ପଶ୍ଚମବଙ୍ଗରୁ ଶ୍ରୀମତୀ ପମ୍ପା ଓ ଡାକ୍ତର ଗୌତମ ପାଲଙ୍କ ନେତୃତ୍ୱରେ ଚାଷୀମାନେ ଦିଲ୍ଲୀରେ ଆସି ପହଞ୍ଚିଛନ୍ତି ।

ନବ ନିର୍ମାଣ କୃଷକ ସଂଗଠନର ପ୍ରଥମ ଜାତୀୟ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କୁ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଦାବି କରାଯିବ ଏବଂ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇ ୬ ମାସ ଭିତରେ ସମାଧାନ କରିବା ପାଇଁ ଆହ୍ଵାନ କରାଯିବ । ନଚେତ ଆଗକୁ ଆନ୍ଦୋଳନ ଜୋରଦାର କରିବା ପାଇଁ ଚେତାବନୀ ଦିଆଯିବ । ସମ୍ମିଳନୀରେ ବହୁ କୃଷକ ନେତା, ସମାଜସେବୀ ଓ ବୁଦ୍ଧିଜୀବୀ କୃଷକମାନଙ୍କ ହକ୍ର ଲଢ଼େଇ ସପକ୍ଷରେ ମତ ରଖି ସମାଧାନ ପାଇଁ ଅପିଲ କରିବେ ।