ଦେଶରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ଦେଶବ୍ୟାପୀ ଚକାଜାମ । ଦିଲ୍ଲୀରେ ପଶି ପାରିଲେନି ଚାଷୀ ।

67

କନକ ବ୍ୟୁରୋ : ଦେଶରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି ଦେଶବ୍ୟାପୀ ଚକାଜାମ । ସରକାରଙ୍କ କୃଷି ଆଇନକୁ ବିରୋଧ କରି ଏହି ଚକାଜାମ କରିଥିଲେ କୃଷକ ସଂଗଠନ । ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡକୁ ଛାଡିକି ଅନ୍ୟ ସବୁ ରାଜ୍ୟ ଚକାଜାମ କରିଥିଲେ କୃଷକ ସଂଗଠନ । ଦିନ ୧୨ଟାରୁ ଦିନ ୩ଟା ଯାଏଁ ଏହି ଆନ୍ଦୋଳନ ହୋଇଥିଲା । ଏହି ସମୟରେ ବିଭିନ୍ନ ସ୍ଥାନରେ କୃଷକମାନେ ଚକାଜାମ କରିଥିଲେ । ଫଳରେ କିଛି ସ୍ଥାନରେ ରାସ୍ତା ଖାଁ ଖାଁ ନଜର ଆସିଥିଲା ।

ସେପଟେ ଦିଲ୍ଲୀରେ ଏହି ଚକାଜାମ କରିନଥିଲେ କୃଷକ ସଂଗଠନ । କାରଣ ଜାନୁଆରୀ ୨୬ ହିଂସା ପରେ ଦିଲ୍ଲୀ ସୀମାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସୀମାରେ କଡା ପହରା ଦେଉଛନ୍ତି ସୁରକ୍ଷାକର୍ମୀ । ସାରା ଭାରତରେ କିଛି କିଛି ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ବାଙ୍ଗାଲୋରରେ ଏକ ପୋଲିସ ଷ୍ଟେସନ ବାହାରେ ପ୍ରଦର୍ଶନ କରୁଥିବା ବେଳେ କିଛି ପ୍ରଦର୍ଶନକାରୀଙ୍କୁ ଉଠାଇ ନେଇଥିଲା ପୋଲିସ ।

ସେପଟେ ଶାହଜାହା ସୀମାରେ ଜାତୀୟ ରାଜପଥ ବନ୍ଦ କରିଦେଇଛନ୍ତି କୃଷକ । ଏଥିପାଇଁ ଲୋକଙ୍କୁ ଯିବା ଆସିବା କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ସେପଟେ ରାଞ୍ଚି-କୋଲକାତା ଜାତୀୟ ରାଜପଥରେ ମଧ୍ୟ କୃଷକମାନେ ଆନ୍ଦୋଳନ କରିଥିଲେ ।

ସେପଟେ ରାଜ୍ୟରେ ମଧ୍ୟ ଚକାଜାମର ପ୍ରଭାବ ପଡିଥିଲା । କଟକ- ଭୁବନେଶ୍ୱର ରାସ୍ତାରେ ହଂସପାଳଠାରେ ଜାତୀୟ ରାଜପଥରେ ଚାଷୀଙ୍କ ଚକାଜାମ୍ କରିଥିଲେ। ଏହାଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ସେହିପରି ଅନ୍ୟ ଜିଲ୍ଲାରେ ମଧ୍ୟ ଏହାର କିଛି ପ୍ରଭାବ ଦେଖିବାକୁ ମିଳିଥିଲା ।