ଆନ୍ଦୋଳନକୁ ଜୋରଦାର କରିବାକୁ ଆସନ୍ତା କାଲି ଠାରୁ ସାରା ଦେଶରେ ହେବ ମହାପଞ୍ଚାୟତ । ଫେବୃଆରୀ ୨୩ ପର୍ଯ୍ୟନ୍ତ ଚାଲିବ ଏହି ବୈଠକ । ୨୩ ପରେ ପ୍ରସ୍ତୁତ ହେବ ଆଗାମୀ ରଣନୀତି

84

କନକ ବ୍ୟୁରୋ :  କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ନୂତନ କୃଷି କାନୁନକୁ ବିରୋଧ କରି ୨୦୨୦ ନଭେମ୍ବର ମାସରୁ ଦିଲ୍ଲୀର ବିଭିନ୍ନ ସୀମାରେ କୃଷକ ସଂଗଠନ ମାନଙ୍କ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ଏହି ଆନ୍ଦୋଳନକୁ ପାଖା ପାଖି ୩ ମାସ ପୁରିଛି । ଏହାରି ମଧ୍ୟରେ ସରକାର ଓ କୃଷକ ସଂଗଠନ ମାନଙ୍କ ମଧ୍ୟରେ ୧୧ ଥର ବୈଠକ ବସି ସାରିଲାଣି । ହେଲେ ବୈଠକରୁ କୌଣସି ନିଷ୍କର୍ସ ବାହାରି ପାରି ନାହିଁ    । ଗୋଟିଏ ପଟେ ସରକାର ତାଙ୍କ ଜିଦ୍ ରେ ଅଟଳ ଥିବା ବେଳେ କୃଷକ ମାନେ ୩ ଟି କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ ଅଟଳ ରହିଛନ୍ତି । ଅନ୍ୟ ପଟେ କୃଷକ ମାନଙ୍କର ସମର୍ଥନ ଯୋଗଡ କରିବାକୁ କୃଷକ ସଂଗଠନ ମାନେ ଏବେ ମହାପଞ୍ଚାୟତ କୁ ଭରସା କରିଛନ୍ତି । ଏନେଇ କିଛି କିଛି ରାଜ୍ୟରେ ବି ମହାପଞ୍ଚାୟତ ବସୁଥିବା ଦେଖିବାକୁ ମିଳିଛି । କିନ୍ତୁ ଆସନ୍ତା କାଲି ଠାରୁ ସାରା ଦେଶରେ ମହାପଞ୍ଚାୟତ କରିବାକୁ ଅଣ୍ଟା ଭିଡିଛନ୍ତି କୃଷକ ଆନ୍ଦୋଳନର ମୁଖ୍ୟ ନେତା କୁହାଯାଉଥିବା ରାକେଶ ଟିକାୟତ । ରବିବାର ଠାରୁ ମହାରାଷ୍ଟ୍ର , ହରିଆଣା, ଓ ରାଜସ୍ଥାନରେ ୭ ଟି ବଡ ମହାପଞ୍ଚାୟତ କରାଯିବ ବୋଲି ଭାରତୀୟ କିଷାନ ୟୁନିୟନର ମୁଖ୍ୟ ରାକେଶ ଟିକାୟତ ସୂଚନା ଦେଇଛନ୍ତି । ଏହି ସବୁ ମହାପଞ୍ଚାୟତରେ ସେ ଯୋଗ ଦେଇ ଆନ୍ଦୋଳନ ପ୍ରତି ଚାଷୀ ମାନଙ୍କ ସମର୍ଥନ ଯୋଗାଡ କରିବେ । ଏହି ମହାପଞ୍ଚାୟତ ଚଳିତ ମାସ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବିକେଏମୟୁର ଗଣମାଧ୍ୟମ ଦାୟିତ୍ୱରେ ଥିବା ଧର୍ମେନ୍ଦ୍ର ମଲ୍ଲିକ ସୂଚନା ଦେଇଛନ୍ତି ।
ମହାରାଷ୍ଟ୍ରର ଆକୋଲା, ରାଜସ୍ଥାନର ସିକାର  ଓ ହରିଆଣାର କର୍ନଲ, ରୋହତକ୍, ସିର୍ସା     ଓ ହିସାର ଜିଲ୍ଲା ରେ ଏହି ମହାପଞ୍ଚାୟତ ଅନୁଷ୍ଠିତ ହେବ । ଏହି ମହାପଞ୍ଚାୟତରେ ମୁଖ୍ୟତ ନୂଆ କୃଷି ଆଇନକୁ ପ୍ରତ୍ୟାହାର ଓ ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନର ପରିଧି ଭିତରକୁ ଆଣିବାକୁ ସରକାରଙ୍କ ଉପରେ ଚାପ ପକାଯିବ ।
ସେପଟେ କୃଷକ ଆନ୍ଦୋଳନ ଆଳରେ ଜାନୁଆରୀ ୨୬ ତାରିଖରେ ହୋଇଥିବା ହିଂସାରେ ଅନେକ ଚାଷୀ ଓ ଚାଷୀ ନେତା ଗିରଫ୍ ହୋଇ ଏବେ ଜେଲରେ ଅଛନ୍ତି । ଏହାକୁ ନେଇ ଶ୍ରୀ ଟିକାୟତ କହିଛନ୍ତି କି ସରକାର ଜାଣି ଶୁଣି ହିଂସା କରିଥିବା ଲୋକଙ୍କୁ ଏବେ ବି ନିଜ ଛାଇ ତଳେ ଲୁଚାଇ ରଖି ସାଧାରଣ ଲୋକଙ୍କୁ ଗିରଫ୍ କରୁଛି ।