କନକ ବ୍ୟୁରୋ: ତୁଟୁନି ପାଣି ବିବାଦ । ଏବେଠୁ ପାଣି ପାଇଁ ଲାଗିଛି ସଂଘର୍ଷ । ଗୋଟିଏ ପଟେ ରବି ଫସଲ ପାଇଁ ପାଣି ଯୋଗାଇବାକୁ ଚାଷୀ ଆନ୍ଦୋଳନ କରୁଛି ତ ଆଉ ଗୋଟିଏ ପଟେ ଧାରଣାକୁ ଓହ୍ଲାଇଛନ୍ତି ଶହଶହ ଛାତ୍ରୀ ଓ ମହିଳା । ନୂଆପଡାରେ ଥିବା ‘ପତେରା’ପ୍ରକଳ୍ପରୁ ପାଣି ଆବଣ୍ଟନ ନେଇ ଦେଖାଦେଇଛି ବିବାଦ । ପାଣି ଯୋଗାଇବାକୁ ଉପର ମୁଣ୍ଡ ଚାଷୀ ଓ ତଳ ମୁଣ୍ଡ ଚାଷୀ ଦାବି କରିଛନ୍ତି । ଉପରମୁଣ୍ଡ ଚାଷୀ ମାନେ ପତେରା ନିକଟରେ ୨୭ ଦିନ ହେଲା ଅହୋରାତ୍ର ଧାରଣାରେ ବସିଥିବା ବେଳେ ତଳ ମୁଣ୍ଡ ଚାଷୀ ମାନେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି । ଶହଶହ ଚାଷୀ ଜିଲ୍ଲାପାଳଙ୍କ ଅଫିସ ଭିତରକୁ ଧସେଇ ପଶି ବିରୋଧ କରିଛନ୍ତି ।
ସେପଟେ ଉପରମୁଣ୍ଡ ଚାଷୀଙ୍କ ଗଣଧରଣାରେ ସାମିଲ ହୋଇଛନ୍ତି ଶହଶହ ମହିଳା ଓ ଛାତ୍ରଛାତ୍ରୀ । ଜିଲ୍ଲା ପ୍ରଶାସନ ପକ୍ଷରୁ ଜଳ ଆବଣ୍ଟନ ସଠିକ ଭାବେ ହୋଇପାରୁନଥିବାରୁ ଉଭୟ ପଟରୁ ଜୋରଦାର ବିରୋଧ କରାଯାଉଛି । ଖୁବଶୀଘ୍ର ଚାଷୀ ମାନଙ୍କ ପାଇଁ ଜଳ ବଣ୍ଟନ ସଠିକ୍ ଭାବରେ କରାନଗଲେ ଆନ୍ଦୋଳନ ଜୋରଦାର କରାଯିବାର ଚେତବାନୀ ଦିଆଯାଇଛି ।
Follow Us