କାଶ୍ମୀରରୁ କନ୍ୟାକୁମାରୀ । ଆନ୍ଦୋଳନକାରୀ କୃଷକ କରିବେ ସାଇକେଲ ରାଲି । ମାର୍ଚ୍ଚ ୧୨ ରୁ ହେବ ଆରମ୍ଭ

97

କନକ ବ୍ୟୁରୋ : ଗାଁରେ ଗାଁରେ କୃଷକ ମାନଙ୍କୁ ଆନ୍ଦୋଳନ ବାବଦରେ ସଚେତନ କରାଇବା ଓ ୩ କୃଷି ଆଇନରେ ଥିବା କୃଷକ ମାରଣନୀତିକୁ ବୁଝାଇବାକୁ ଅଭିନବ ପ୍ରୟାସ ଆରମ୍ଭ କରିବେ ଆନ୍ଦୋଳନକାରୀ କୃଷକ । ଏନେଇ ମାର୍ଚ୍ଚ ୧୨ ତାରିଖରୁ ସାଇକେଲ ରାଲି କରିବାକୁ ନିଷ୍ପତ୍ତି ନିଆଯାଇଥିବା କଥା କହିଛନ୍ତି କୃଷକ ନେତା ।

ସୂଚନା ମୁତାବକ ଏବେ ଆନ୍ଦୋଳନକୁ ତୃଣମୂଳ ସ୍ତରରେ ପହଂଚାଇବାକୁ କୃଷକ ସଂଗଠନ ମାନେ ଅଭିନବ ଉପାୟ ଆପଣାଇଛନ୍ତି । ଏନେଇ ମାର୍ଚ୍ଚ ୧୨ ତାରିଖରୁ କାଶ୍ମୀର ଠାରୁ କନ୍ୟାକୁମାରୀ ଦୀର୍ଘ ୮,୩୦୮ କିଲୋମିଟର ସାଇକେଲ ରାଲିର ଆୟୋଜନ କରାଯାଉଛି । ଏହି ରାଲି ସମୟରେ କୃଷକ ମାନେ ୨୦ ଟି ରାଜ୍ୟ ପରିକ୍ରମା କରିବେ ବୋଲଇ ଜଣାପଡିଛି ।

ଏହି ରାଲି ସମୟରେ କୃଷକ ମାନଙ୍କୁ ଭେଟି କେନ୍ଦ୍ରସରକାର ଆଣିଥିବା ଆଇନରେ ଥିବା କୃଷକ ମାରଣନୀତି ବାବଦରେ ବୁଝାଯିବ । ଫଳରେ ଗାଁ ଗଣ୍ଡାରେ କୃଷକ ଆନ୍ଦୋଳନକୁ ନେଇ ଥିବା ନକରାତ୍ମକ ଚିନ୍ତାଧାରା ଦୂର ହେବ ବୋଲି ଚାଷୀ ନେତା ମାନେ ମତ ଦେଇଛନ୍ତି ।

କହିରଖୁ କି ୩ ମାସରୁ ଅଧିକ ସମୟ ହେବ କୃଷକ ମାନେ ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦେଶର ବିଭିନ୍ନ ସୀମାରେ ଆନ୍ଦୋଳନରେ ବସିଛନ୍ତି । ଏହାରି ମଧ୍ୟରେ ସରକାର ଓ କୃଷକ ସଂଗଠନ ମାନଙ୍କ ମଧ୍ୟରେ ୧୧ ଥର ଆଲୋଚନା ହୋଇଥିଲେ ବି ଆଲୋଚନାରୁ କୌଣସି ନିଷ୍କର୍ସ ବାହାରି ପାରିନାହିଁ । ହେଲେ କୃଷକ ମାନେ ଆନ୍ଦୋଳନରୁ ଓହୁରିବାକୁ ପ୍ରସ୍ତୁତ ନାହାନ୍ତି । ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି କରି ସରକାରଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥିଲେ କୃଷକ ସଂଗଠନ ମାନେ । ଏହା ଏହା ବି ଫଳପ୍ରଦ ନ ହେବାରୁ ଏବେ ସାଇକେଲ ରାଲି କରି ସରକାରଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା କରାଯାଉଥିବା ଅନୁମାନ କରାଯାଉଛି ।