ଆନ୍ଦୋଳନର ଭବିଷ୍ୟତ ନେଇ ଆଜି ହେବ ନିଷ୍ପତ୍ତି, ସିଂଘୁ ସୀମାରେ ଆଜି ବୈଠକ

100

କନକ ବ୍ୟୁରୋ : କୃଷକ ଆନ୍ଦୋଳନ ୧ ବର୍ଷରୁ ଅଧିକ ସମୟ ଧରି ଚାଲିଛି । ୩ ଟି କୃଷି ଆଇନ ପ୍ରତ୍ୟାହାର, ଏମଏସପିକୁ ଆଇନ ପରିସରକୁ ଆଣିବା, ୪ ଟି ଶ୍ରମ କୋର୍ଡ ବାତିଲ କରିବା ଆଦି ଦାବିରେ ଚାଲିଥିଲା କୃଷକ ଆନ୍ଦୋଳନ । ଏହା ମଧ୍ୟରେ ସରକାର ଆନ୍ଦୋଳନକାରୀଙ୍କର ଗୋଟିଏ ଦାବି ମାନି ନେଇଥିବା ବେଳେ ଏବେ କୃଷକମାନେ ଅନ୍ୟଦାବି ଗୁଡିକ ପୂରଣ କରିବା ଦାବି ଆନ୍ଦୋଳନ ଅବ୍ୟାହତ ରଖିଛନ୍ତି । ଏହାରି ମଧ୍ୟରେ ଆନ୍ଦୋଳନର ଭବିଷ୍ୟତ ଓ ରୂପରେଖ ନେଇ ସଂଯୁକ୍ତ କିଷାନ ମୋର୍ଚ୍ଚାର ନେତାମାନେ ସିଂଘୁ ସୀମାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବା ନେଇ ସୂଚନା ମିଳିଛି ।

ଏନେଇ କୃଷକ ନେତାମାନେ କହିଛନ୍ତି କି ଏମଏସପି ନେଇ କେନ୍ଦ୍ର ସରକାର ଦେଇଥିବା ପରାମର୍ଶ ମୁତାବକ ୫ ଜଣିଆ ପ୍ୟାନେଲର ନାମ ଦେବାକୁ ଏହି ବୈଠକରେ ନିଷ୍ପତ୍ତି ହୋଇପାରେ । ଅନ୍ୟପଟେ ପ୍ରଦର୍ଶନ କରୁଥିବା ଚାଷୀମାନଙ୍କର ଅନ୍ୟ ଦାବି ଉପରେ ବି ଏହି ବୈଠକରେ ଆଲୋଚନା ହୋଇପାରେ । ଯାହା ମଧ୍ୟରେ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନ ପରିସରକୁ ଆଣିବା, ଆନ୍ଦୋଳନ କ୍ରମରେ କୃଷକମାନଙ୍କ ଉପରେ ହୋଇଥିବା ମାମଲା ପ୍ରତ୍ୟାହାର କରିବା ଓ ଆନ୍ଦୋଳନ ବେଳେ ମୃତ୍ୟୁବରଣ କରିଥିବା କୃଷକଙ୍କ ପରିବାରକୁ ସହାୟତା ଯୋଗାଇବା ଭଳି ଦାବି ରହିଛି ।

ସଂଯୁକ୍ତ କିଷାନ ମୋର୍ଚ୍ଚାର ସଦସ୍ୟ ଦର୍ଶନ ପାଲ କହିଛନ୍ତି କି କେନ୍ଦ୍ର ସରକାରଙ୍କ ତରଫରୁ ଏପର୍ଯ୍ୟନ୍ତ କୌଣସି ଔପଚାରିକ ଆଶ୍ୱାସନା ମଳିନାହିଁ ତେଣୁ କୃଷକମାନେ ଆନ୍ଦୋଳନରୁ ହଟିବା ସମ୍ଭବ ନୁହେଁ । ଏନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଲେଖାଯାଇଥିବା ଚିଠିରେ ୬ ଟି ପ୍ରମୁଖ ଦାବି ରଖାଯାଇଛି । ହେଲେ ଏପର୍ଯ୍ୟନ୍ତ ସରକାରଙ୍କ ତରଫରୁ ଏନେଇ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ ।

ଏସବୁ ଭିତରେ ଆଜି ବସୁଥିବା ବୈଠକରେ ନିଷ୍ପତ୍ତି ହୋଇପାରେ କି ଆନ୍ଦୋଳନର ଆଗାମୀ ରଣନୀତି କଣ ରହିବ । ଏହାସହ ଗତକାଲି ରାହୁଲ ଗାନ୍ଧୀ ୪୦୭ ଜଣ କୃଷକଙ୍କ ଚିଠା ସାମ୍ବାଦିକ ସମ୍ମିଳନୀରେ ଦେଖାଇଛନ୍ତି । ଏହି ୪୦୭ ଜଣ କୃଷକ ଆନ୍ଦୋଳନ କ୍ରମରେ ପ୍ରାଣ ହରାଇଥିବା ଦାବି କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ ।