ଚିନ୍ତାରେ ଆଠଗଡ଼ ଅଞ୍ଚଳ ପରିବା ଚାଷୀ। ବିଲରେ ସଢ଼ୁଛି କୋବି, ଟମାଟୋ ଓ ଲଙ୍କା, ମିଳୁନି ଉଚିତ୍ ମୂଲ୍ୟ।

243

କନକ ବ୍ୟୁରୋ: ବେଳେ ବେଳେ ପରିବା ଦରକୁ ନେଇ ଚିନ୍ତାରେ ପଡ଼ନ୍ତି ଗ୍ରାହକ । ପରିବା ବଜାରକୁ ୫୦୦ ଟଙ୍କା ନେଇକି ଗଲେ ବ୍ୟାଗ୍ ପୁରୁନଥିବା ଅନେକ ସମୟରେ ଶୁଣିବାକୁ ମିଳିଥାଏ । ପରିବା ବଜାରରେ ଅହେତୁକ ଦରବୃଦ୍ଧିକୁ ନେଇ ଗଣମାଧ୍ୟମରେ ଶିରୋନାମା ପାଲଟେ । କିନ୍ତୁ ବର୍ତମାନର ଚିତ୍ର ଭିନ୍ନ । ଶୀତ ଦିନେ ପରିବା ଅମଳ ସମୟରେ କିଭଳି ଚାଷୀର ବିଲରେ ନଷ୍ଟ ହେଉଛି ସବୁଜ ପରିବା । ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷ କରିବା ପରେ ଉପଯୁକ୍ତ ପାରିଶ୍ରମିକ ନମିଳିବାରୁ ଚିନ୍ତାରେ ପଡ଼ିଛନ୍ତି କଟକ ଆଠଗଡ଼ ଅଂଚଳର ଚାଷୀ ।

ବିଲରେ ନଷ୍ଟ ହେଉଛି କୋବି, ବିଲାତି ବାଇଗଣ, ଲଙ୍କା ଚାଷ । ଶୀତଳଭଣ୍ଡାରର ଅଭାବ ଓ ବାହାର ରାଜ୍ୟର ପନିପରିବା ଲୋକାଲ ମାର୍କେଟରେ ପ୍ରବେଶ ଯୋଗୁଁ ଏଭଳି ସ୍ଥିତି ଦେଖାଦେଇଥିବା କହିଛନ୍ତି ଚାଷୀ । ସୂଚନା ଅନୁସାରେ ଆଠଗଡ଼ ଅଞ୍ଚଳରୁ କଟକ, ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳକୁ ପରିବା ଯାଇଥାଏ । କିନ୍ତୁ ଚଳିତ ବର୍ଷ ପରିବା ଦର ଅହେତୁକ ପରିମାଣ ଦର ହ୍ରାସ ପାଇଥିବାରୁ ଚାଷ ଚିନ୍ତାରେ ପଡ଼ିଛନ୍ତି । ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ଶାଗ ମାଛ ଦରରେ ପରିବା ବିକ୍ରି କରୁଛନ୍ତି ।