ସିଂଘୁ ସୀମାରେ ହତ୍ୟା ମାମଲାକୁ ନେଇ ସରକାରଙ୍କୁ ଦୋଷ ଦେଲେ ରାକେଶ ଟିକାୟତ,କହିଲେ ହତ୍ୟା ପଛରେ ସରକାରୀ ଷଡଯନ୍ତ୍ର

137

କନକ ବ୍ୟୁରୋ : ହରିଆଣା-ଦିଲ୍ଲୀ ସିଂଘୁ ସୀମାରେ ଗତକାଲି ଲଖବୀର ସିଂ ନାମକ ଜଣେ ଯୁବକର ମୃତଦେହ ମିଳିଥିଲା । ଏନେଇ ପୋଲିସ ଖୋଳତାଡ କରିବା ପରେ ଏହି ହତ୍ୟାକାଣ୍ଡ ନିହଙ୍ଗ ଶିଖ୍ ତରଫରୁ କରାଯାଇଥିଲା ବୋଲି ସ୍ପଷ୍ଟ ହୋଇଥିଲା । ଏହି ହତ୍ୟାକାଣ୍ଡ ପରେ କୃଷକ ଆନ୍ଦୋଳନକୁ ନେଇ ପ୍ରଶ୍ନ ଉଠିଥିଲା । ଏହି ପ୍ରଶ୍ନ ମଧ୍ୟରେ କୃଷକ ନେତା ରାକେଶ ଟିକାୟତ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି କି ଏଭଳି ହତ୍ୟା କରି କୃଷକ ଆନ୍ଦୋଳନକୁ ବଦନାମ କରିବାକୁ ଚେଷ୍ଟା କରାଯାଇଛି । କେବଳ ସେତିକି ନୁହେଁ ଟିକାୟତ କହିଛନ୍ତି କି କେନ୍ଦ୍ର ସରକାରଙ୍କ ନେତାଙ୍କ ପ୍ରରୋଚନାରେ ଏଭଳି ହତ୍ୟା କରାଯାଇଛି ।

ଜାତୀୟ ଗଣମାଧ୍ୟମ ସହ ଆଲୋଚନା ବେଳେ ଟିକାୟତ କହିଛନ୍ତି ଯେ, ଏହି ହତ୍ୟ ପଛରେ କୃଷକ ଆନ୍ଦୋଳନର କୌଣସି ସଂପର୍କ ନାହିଁ । ସରକାର କୃଷକ ଆନ୍ଦୋଳନକୁ ବଦନାମ କରିବାକୁ ପ୍ରଶାସନକୁ ହଜାରେ କୋଟି ଟଙ୍କା ଦେଇଛନ୍ତି । ସିଂଘୁ ସୀମାରେ ଯାହା ଘଟିଲା ତାହା ସରକାରଙ୍କ ପ୍ରାୟୋଜିତ ବୋଲି ଟିକାୟତ କହିଛନ୍ତି ।

ଅନ୍ୟପଟେ ଲଖମୀପୁର ଖେରୀରେ କୃଷକଙ୍କ ଉପରେ ଗାଡି ଚଢାଇ ହତ୍ୟା କରାଯାଇଥିବା ଘଟଣାକୁ ନେଇ ଟିକାୟତ କହିଛନ୍ତି କି, କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଇସ୍ତଫା ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ । ଅନ୍ୟପଟେ ଅଜୟ ମିଶ୍ରାଙ୍କ ପ୍ରୁଅକୁ ପୋଲିସ ପଚରା ଉଚରା କରୁନାହିଁ ବୋଲି ଟିକାୟତ ଗଣମାଧ୍ୟମରେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି କି ଯଦି ଆଶିଷ ମିଶ୍ରାଙ୍କୁ ଯଦି ଜେରା କରିବାର ଅଛି ତେବେ ପୋଲିସ ଥାନାକୁ ନ ଆଣି ଗେଷ୍ଟ ହାଉସରେ କାହିଁକି ରଖିଛି ।

ସିଂଘୁ ସୀମାରେ ହୋଇଥିବା ହତ୍ୟାକାଣ୍ଡକୁ ନେଇ କୁହାଯାଉଛି କି ଗୁରୁ ଗ୍ରନ୍ଥ ସାହବକୁ ଅପମାନିତ କରିବା ବେଳେ ନିହଙ୍ଗା ଶିଖ୍ ଯୁବକକୁ ଗେଟ୍ ପାଖରେ ଧରିଥିଲେ । ଏହାପରେ ତାଙ୍କ ସହିତ ମାରପିଟ କରିଥିଲେ । ଏହାପରେ ଏଭଳି କରିବା ପଛରେ କାହାର ହାତ ଅଛି ବୋଲି ପଚରା ଯିବା ବେଳେ ସେ କିଛି କହିନଥିଲେ । ଏହାପରେ ତାଙ୍କୁ ଏଭଳି ହତ୍ୟା କରାଯାଇଛି ବୋଲି ଅନୁମାନ କରାଯାଉଛି ।