କେମିତି ବଢିବ ଚାଷୀଙ୍କ ଆୟ ! ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା କରିବା ନେଇ ଆରମ୍ଭ ହେଲା ପ୍ରକ୍ରିୟା । 

22

କନକ ବ୍ୟୁରୋ : କେମିତି ବଢିବ ଚାଷୀଙ୍କ ଆୟ । ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା କରିବାକୁ ମୋଦି ସରକାର ଘୋଷଣା କରିଥିବା ବେଳେ ଏହାକୁ କାର୍ଯ୍ୟକାରୀ କରିବାକୁ ଏବେ ଆରମ୍ଭ ହୋଇଛି ଉଦ୍ୟମ । କେନ୍ଦ୍ର ସରକାରଙ୍କ ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସଂସ୍ଥା ନୀତି ଆୟୋଗ ଚାଷୀଙ୍କ ଆୟକୁ ବୃଦ୍ଧି କରିବା ପାଇଁ ତିନିଟି ଫର୍ମୁଲା ଉପରେ କାମ କରୁଛି ।

ଆଗାମୀ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣା କରିବାକୁ ଘୋଷଣା କରିଛନ୍ତି ମୋଦି ସରକାର । ଆଗକୁ ନିର୍ବାଚନୀ ବର୍ଷ ଥିବାରୁ ଘୋଷଣାକୁ କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ସରକାରଙ୍କ ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସଂସ୍ଥା ନୀତି ଆୟୋଗ ଏଥିପାଇଁ ତିନିଟି ଫର୍ମୁଲା ଉପରେ କାମ କରୁଛି ।

ନ୍ୟାସନାଲ ଇନଷ୍ଟିଚ୍ୟୁସନ ଫର ଟ୍ରାନ୍ସଫର୍ମିଂ ଇଣ୍ଡିଆ ବା ନୀତି ଆୟୋଗ, କେନ୍ଦ୍ର ସରକାରଙ୍କ ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସଂସ୍ଥା । ୨୦୧୭-୧୮ ସାଧାରଣ ବଜେଟରେ କେନ୍ଦ୍ର ସରକାରଙ୍କ ଘୋଷଣାକୁ କାର୍ଯ୍ୟକାରୀ କରିବା ଲାଗି ଉଦ୍ୟମ ଆରମ୍ଭ କରିଛି ନୀତି ଆୟୋଗ । ଯେଉଁଥିପାଇଁ ତିନିଟି ଫର୍ମୁଲା ଉପରେ କାମ କରୁଛି ସଂସ୍ଥା ।

ଫର୍ମୁଲା-୧

– ବଜାର ଦର କମ୍ ଥିଲେ ସୁଦ୍ଧା ଉତ୍ପାଦନ ଖର୍ଚ୍ଚର ଅନ୍ୟୁନ ୫୦% ଚାଷୀଙ୍କୁ ଦିଆଯିବ

– ଚାଷୀଙ୍କ ବ୍ୟାଙ୍କ ଆକାଉଂଟରେ ସିଧାସଳଖ ଟଙ୍କା ଜମା କରିବାକୁ ବ୍ୟବସ୍ଥା ହେବ

ଫର୍ମୁଲା-୨

– ସରକାରୀ ସଂସ୍ଥା ଦ୍ୱାରା ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀଙ୍କଠାରୁ ଉତ୍ପାଦନ କିଣାଯିବ

– କିମ୍ବା ଘରୋଇ କମ୍ପାନିଙ୍କୁ ଚାଷୀଙ୍କଠାରୁ ଖାଦ୍ୟ ଶସ୍ୟ କିଣିବାକୁ ପ୍ରୋତ୍ସାହନ ଦିଆଯିବ

ଫର୍ମୁଲା-୩

– ଏମଏସପି ଧାର୍ଯ୍ୟ ହେଲେ ବି ଚାଷୀ ଉତ୍ପାଦନ କରିଥିବା ସମସ୍ତ ଖାଦ୍ୟଶସ୍ୟ କିଣାଯାଉନି

– ତେଣୁ ଚାଷୀଙ୍କ କ୍ଷତି ଭରଣା କରିବା ପାଇଁ ନଗଦ ଟଙ୍କା ଆକାରରେ କ୍ଷତିପୂରଣ ମିଳିବ

ଏହିପରି ତିନିଟି ବିକଳ୍ପ ଉପରେ ଆଲୋଚନା କରୁଛି ନୀତି ଆୟୋଗ । ଏବଂ ନୀତି ଆୟୋଗର ଏହି ପ୍ରସ୍ତବ ଉପରେ ଆଗାମୀ ସେପ୍ଟେମ୍ବର ମାସରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଚର୍ଚ୍ଚା ହୋଇପାରେ । ହେଲେ ଏହି ପ୍ରସ୍ତାବକୁ ନେଇ କେତେଗୁଡିଏ ସମସ୍ୟା ଉପୁଜିବା ସମ୍ଭାବନା ରହିଛି ।

ନୀତି ଆୟୋଗ ସୁପାରିଶ କାର୍ଯ୍ୟକାରୀ କରିବାରେ ସମସ୍ୟା କ’ଣ?

– ସାଧାରଣତଃ ଅମଳ ସମୟରେ ଖାଦ୍ୟଶସ୍ୟ ଗୁଡିକର ବଜାର ଦର କମିଯାଇଥାଏ

– ଆବଶ୍ୟକତାଠାରୁ ଅଧିକ ଅମଳ ହେଲେ ଚାଷୀଙ୍କ ସମସ୍ତ ଉତ୍ପାଦନ ବିକ୍ରି ହୁଏନାହିଁ

– ଏହି ସମୟରେ କ୍ଷତିପୂରଣ ଦେଲେ ସରକାରଙ୍କ ଉପରେ ବଡ ଆର୍ଥିକ ବୋଝ ପଡିବ

– ଅନୈତିକ ଉପାୟରେ ଖାଦ୍ୟଶସ୍ୟର ମୂଲ୍ୟ କମାଇ ଦେଇପାରନ୍ତି ଅସାଧୁ ବ୍ୟବସାୟୀ

– ଅନ୍ତର୍ଜାତୀୟ ବଜାରରେ ନିର୍ଦ୍ଦିଷ୍ଟ ଖାଦ୍ୟଶସ୍ୟର ଦର କମିଲେ ବଢିବ କ୍ଷତିପୂରଣ ବୋଝ

ଚାଷୀଙ୍କ ଉତ୍ପାଦନ ବିକ୍ରି ନହେଲେ ନଗଦ ଟଙ୍କା ଆକାରରେ କ୍ଷତିପୂରଣର ସ୍କିମ ଚଳାଇଛନ୍ତି ବିଜେପି ଶାସିତ ମଧ୍ୟପ୍ରଦେଶ ସରକାର । ଚାଷ ଉପରେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ନିର୍ଭର କରୁଥିବା ପ୍ରାୟ ୮୦ କୋଟି ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ମୋଦି ସରକାର ନୀତି ଆୟୋଗର ସୁପାରିଶକୁ ଗ୍ରହଣ କରିନେବାର ଯଥେଷ୍ଟ ସମ୍ଭାବନା ରହିଛି ।

ତଥ୍ୟ କହୁଛି ଦେଶର ୨୨ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହୁଛନ୍ତି । ଗହମ, ଧାନ ଓ ତୁଳା ବାବଦରେ କେନ୍ଦ୍ର ସରକାର ସର୍ବନିମ୍ନ ସହାୟକ ମୂଲ୍ୟ ଦେଉଥିଲେ ସୁଦ୍ଧା ଏହାର ଅର୍ଦ୍ଧାଧିକ ଅର୍ଥାତ ପ୍ରାୟ ୧୧ ପ୍ରତିଶତ ଚାଷୀ ପରିବାର ଏ ଦେଶରେ ଋଣଗ୍ରସ୍ତ ।