ତଳି ଦେଇଛି ରୋଜଗାର । ପିଆଜ ତଳି ବିକ୍ରି ଲାଭବାନ ହେଉଛନ୍ତି କୁଚିଣ୍ଡା ଅଂଚଳର ଚାଷୀ । ହେଲେ ପ୍ରଶାସନ ପର୍ଯ୍ୟାପ୍ତ ମଂଜି ଯୋଗାଇ ଦେଉନଥିବାରୁ କ୍ଷତିଗ୍ରସ୍ତ ଚାଷୀ

111

କନକ ବ୍ୟୁରୋ : ତଳି ଦେଉଛି ରୋଜଗାର ଆଉ କରିଛି ସ୍ୱାବଲମ୍ବୀ । ଏକଥା ଶୁଣିଲେ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି ସେତିକି ଆଗ୍ରହ ମଧ୍ୟ ହେଉଛି । ଆମେ ସାଧାରଣତଃ ମଞି କିଣି ସେଥିରୁ ତଳି ବା ଚାରା ବାହାର କରି ଗଛ ମାଧ୍ୟମରେ ଫସଲ ଅମଲ କରି ତାକୁ ବିକ୍ରି କରି ଦୁଇ ପଇସା ପାଇଥାଉ । ହେଲେ କେବେ ଶୁଣିଛନ୍ତି ମଞିରୁ ଚାରା ବା ତଳି କରି ତାକୁ ବିକି ହଜାର ହଜାର ଟଙ୍କା ରୋଜଗାର କରିବା ସହ ପରିବାର ପ୍ରତିପୋଷଣ କରିବା କଥା ।

 ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର ଖଣ୍ଡୋକଟା ଗାଁ । ପିଆଜ ତଳି ପାଇଁ ବେଶ ପ୍ରସିଦ୍ଧି ଲାଭ କରିଛି ଏହି ଗାଁ । ଗାଁରେ ପ୍ରାୟ ଅଢେଇଶହରୁ ତିନି ଶହ ପରିବାର ବସବାସ କରୁଥିବା ବେଳେ ପାଖାପାଖି ୯୦ ପ୍ରତିଶତ ଲୋକ ଚାଷ ବାସ କରି ପରିବାର ପ୍ରତିପୋଷଣ କରନ୍ତି । ଦିର୍ଘ ଶହେ ବର୍ଷରୁ ଉର୍ଦ୍ଧ ହେବ ଏଠିକାର ଚାଷୀ ସାଧାରଣତଃ ପିଆଜ ଚାଷ କରିବା ସହ ପିଆଜ ତଳି ବା ପହ୍ଲା ବିକ୍ରି କରି ଲାଭବାନ ହେବା ସହ ପରିବାର ପ୍ରତିପୋଷଣ କରିଥାଆନ୍ତି ।

ତେବେ ଚାଷୀମାନେ ପ୍ରତ୍ୟେକ ବର୍ଷ ଉଦ୍ୟାନ ବିଭାଗରୁ ସବସିଡିରେ ମଞି ଆଣି ତାକୁ ପହ୍ଲା ବା ତଳି କରି ବିକି ବେଶ ଲାଭବାନ ହୋଇଥାଆନ୍ତି । ହେଲେ ଚଳିତ ବର୍ଷ ଭଲ ବିହନ ନ ଥିବା ବେଳେ ଆବଶ୍ୟକତାଠାରୁ କମ ପରିମାଣରେ ମଞି ମିଳିବାରୁ ସେମାନଙ୍କ ଆୟ କମିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଅନ୍ୟପଟେ ସବସିଡିରେ ୫୭୦ ଟଙ୍କାରେ ମିଳୁଥିବା ମଞି ନ ମିଳିବାରୁ ବାହାର ମାର୍କେଟରୁ କେଜିପିଛା ୨୫୦୦ ରୁ ୩ହଜାର ଦେଇ କିଣି ଚାଷ କରିବା ସମ୍ଭବ ହେଉନାହିଁ । ତେଣୁ ଅନେକ ଚାଷୀ ଏବେ ମୁହଁ ଫେରାଇନେବାକୁ ବସିଲେଣି ।

ସେପଟେ ଉଦ୍ୟାନ ବିଭାଗର ସହକାରୀ ନିର୍ଦ୍ଦେଶକ କୁହନ୍ତି ଏବର୍ଷ ସ୍କିମ ବଦଳି ଯାଇଛି । ତେଣୁ କମ ମଞି ଆସିବାରୁ ଚାଷୀଙ୍କୁ ଅଧିକ ମଞ୍ଜି ଦିଆଯାଇପାରୁନି ।ତେବେ ଚାଷୀଙ୍କ ଚାହିଦା ମୁତାବକ ଅଧିକ ମଞ୍ଜି ମଗାଯାଇଥିବା ବେଳେ ସେମାନଙ୍କୁ ଏହା ଯୋଗାଇ ଦିଆଯିବ ।
ଅନେକ ଲୋକ ରୋଜଗାର ପାଇଁ ଅନେକ ମାଧ୍ୟମ ବାଛୁଥିବା ବେଳେ ପିଆଜ ତଳି ବି ଯେ ରୋଜଗାର ଦେଇପାରେ ଏହା କୁଚିଣ୍ଡାରୁ ଆସିଥିବା ଏହି ଚିତ୍ର ହିଁ ବୟାନ କରୁଛି ।