କନକ ବ୍ୟୁରୋ: ପେଶାରେ ବିଧାୟକ, ନିଶା ତାଙ୍କ ଚାଷ । ଜନ ସେବା ସାଙ୍ଗେ ସାଙ୍ଗେ ଜୈବ ପ୍ରଣାଳୀରେ ଚାଷ କରୁଛନ୍ତି ବିଧାୟକ । ନିଜ ପିଲାଛୁଆ ଭଳି ମାଟିକୁ ଆଦରିଛନ୍ତି ଆଉ ଆପଣାଇଛନ୍ତି ଚାଷ କରିବାର ଭିନ୍ନ ପଦ୍ଧତି । ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନୂଆଗାଁ ବ୍ଲକ ଅନ୍ତର୍ଗତ ଦିଶପୁର ଗ୍ରାମରେ ଅଭିନବ ଚାଷ ପ୍ରକଳ୍ପ ଆରମ୍ଭ କରିଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ଯୁବ ବିଧାୟକ ଶଙ୍କର ଓରାମ। ପାଖାପାଖି ୨୫ ଏକର ଜମିରେ ଜୈବ ଉପାଦାନ ବ୍ୟବହାର କରି ଚାଷ କରୁଛନ୍ତି ବୀରମିତ୍ରପୁର ବିଧାୟକ ।
ଜିରାନିୟମ, ଲେମନ୍ ଗ୍ରାସ୍, ବିରଳ ପ୍ରଜାତିର ମଧୁର ତୁଳସୀ, କର୍ପୁର ତୁଳସୀ, ପୁଦିନା, ଅଶ୍ୱଗନ୍ଧା, ବ୍ରାହ୍ମୀ, ହିଙ୍ଗୁ ଓ କଳା ହଳଦୀ ଭଳି ବିଭିନ୍ନ ପ୍ରକାରର ଆୟୁର୍ବେଦୀୟ ଔଷଧୀୟ ବୃକ୍ଷ ସମେତ ସମ୍ପୂର୍ଣ୍ଣ ଜୈବିକ ତଥା ଅତ୍ୟାଧୁନିକ ପ୍ରଣାଳୀରେ ଆଲମଣ୍ଡ, ଆପେଲ ଓ ଷ୍ଟ୍ର’ବେରୀ ଚାଷ ଆରମ୍ଭ କରିଛନ୍ତି ବିରମିତ୍ରପୁର ବିଧାୟକ ଶଙ୍କର ଓରାମ। ଯେହେତୁ ସେ ଚାଷୀ ପରିବାରରୁ ଆସିଛନ୍ତି ଏବଂ ପିଲାଦିନେ ପରିବା ବିକି ପାଠ ପଢିଥିଲେ, ଚାଷ ଓ ଚାଷୀଙ୍କ ସମସ୍ୟା ବାବଦରେ ଭଲ ଭାବେ ଅବଗତ ଥିବାରୁ ଚାଷ ତାଙ୍କ ପାଇଁ କାଠିକର ପାଠ ନୁହେଁ । ସ୍ଥାନୀୟ ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ସହ ଜିଲ୍ଲାବାସୀଙ୍କୁ ବିଷମୁକ୍ତ ଖାଦ୍ୟ ସାମଗ୍ରୀ ଉପଲବ୍ଧ କରାଇବା ଲକ୍ଷ୍ୟ ରଖିଛନ୍ତି ବିଧାୟକ ।
ବଡ଼କଥା ହେଲା କି, ବିଧାୟକ ଦେଖିଥିବା ସ୍ୱପ୍ନକୁ ସାକାର କରିବା ପାଇଁ ସେ ଅନେକ ବିଶେଷଜ୍ଞଙ୍କ ପରାମର୍ଶ ନେଇଛନ୍ତି, ବିଭିନ୍ନ ରାଜ୍ୟ ଗସ୍ତକରି ବୈଷୟିକ ଜ୍ଞାନ ଆହରଣ କରିବାପରେ ଶେଷରେ ବହୁ ପ୍ରତୀକ୍ଷିତ ଏହି ପ୍ରକଳ୍ପ କାର୍ୟ୍ୟ ହାତକୁ ନେଇଥିବା କହିଛନ୍ତି। ଏଥିପାଇଁ ନିଜ ବାସଭବନରେ ଅତ୍ୟାଧୁନିକ ପ୍ରୟୋଗଶାଳା ସ୍ଥାପନ କରିଥିବା ବେଳେ ସମସ୍ତ କାର୍ୟ୍ୟର ତଦାରଖ ଓ ସଫଳ ରୂପାୟନ ପାଇଁ ଜଣେ ଯୁବା କୃଷି ବିଜ୍ଞାନୀଙ୍କୁ ବୈଷୟିକ ପରାମର୍ଶଦାତା ଭାବେ ନିୟୋଜିତ କରିଛନ୍ତି ।
ସ୍ଥାନୀୟ ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ଓ ଜୈବିକ ଚାଷକୁ ପ୍ରୋତ୍ସାହନ ଦେବା ସହିତ ଜିଲ୍ଲାବାସୀଙ୍କୁ ବିଷମୁକ୍ତ ଖାଦ୍ୟସାମଗ୍ରୀ ଉପଲବ୍ଧ କରାଇବା ବୋଲି ସେ କହିଛନ୍ତି। ଏହାସହିତ ଜିରାନିୟମ ଓ ଲେମନ ଗ୍ରାସରୁ ବୈଜ୍ଞାନିକ ପଦ୍ଧତିରେ ଔଷଧୀୟ ଓ ସୁଗନ୍ଧ ତୈଳ ଉତ୍ପାଦନ କରି ବ୍ୟବସାୟିକ ଭିତ୍ତିରେ ବାହାର ଦେଶକୁ ରପ୍ତାନି ପାଇଁ ମଧ୍ୟ ଲକ୍ଷ ରଖାଯାଇଥିବା କହିଛନ୍ତି ବିଧାୟକ । ଏଭଳି ଏକ ପ୍ରକଳ୍ପ ବ୍ୟୟ ବହୁଳ ଥିବାରୁ କେନ୍ଦ୍ର ସରକାରଙ୍କ ଯୋଜନାରେ ସାମିଲ କରିବା ନେଇ ସେ ଉଦ୍ୟମ ଜାରି ରଖିଥିବା କହିଛନ୍ତି।
ତେବେ ସତରେ ଜୈବିକ ଉପାଦାନରୁ ଫିନାଇଲ, ସାବୁନ୍ ଭଳି ଅନେକ ଦୈନନ୍ଦିନ ଜରୁରୀ ସାମଗ୍ରୀ ମିଳିଲେ ତାହାର ଚାହିଦା ବଢ଼ିବ, ପରିବେଶ ସୁସ୍ଥ ରହିବ । ଚାଷୀ ଆତ୍ମନିର୍ଭର ହେବା ସହ ଏହି ଚାଷପ୍ରତି ଆହୁରି ଅଧିକ ଆକୃଷ୍ଟ ହେବେ ଆମ ଅନ୍ନଦାତା ।