ସମ୍ବଲପୁରରେ ଖରିଫ ଧାନ କିଣାକୁ ନେଇ ପୁଣି ଚାଷୀଙ୍କ ମନରେ ଅସନ୍ତୋଷ । ଧାନ କିଣାରେ ଆଗରୁ କ୍ୱିଣ୍ଟାଲ ପିଛା କରାଯାଉଛି କଟନୀ ଛଟନୀ

103

କନକ ବ୍ୟୁରୋ : ସମ୍ବଲପୁର ଜିଲ୍ଲାରେ ଧାନ କିଣାରେ ଆରମ୍ଭ ହୋଇଛି କଟନି ଛଟନି । ଜିଲ୍ଲାର ଅଧିକାଂଶ ମଣ୍ଡିରେ ଓଜନ ବ୍ୟବସ୍ଥା ନଥିବାରୁ ଏହାର ଫାଇଦା ନେଉଛନ୍ତି କିଛି ଅସାଧୁ ମିଲର୍ । ସମ୍ବଲପୁର ଜିଲ୍ଲାରେ ଧାନ କିଣା ଆରମ୍ଭ ହୋଇଥିବା ବେଳେ ଟୋକନ ଅବ୍ୟବସ୍ଥା ଚାଷୀଙ୍କ ଚିନ୍ତା ବଢାଉଛି । ଠିକ୍ ସମୟରେ ଟୋକନ ମିଳୁନାହିଁ । ଆଉ ଏବେ ଧାର୍ଯ୍ୟ ପରିମାଣରୁ ବଳକା ଧାନ କେଉଁଠି ବିକିବେ ବୋଲି ଚାଷି ଚିନ୍ତାରେ ଥିବା ବେଳେ କଟିନ ଛଟନି ପରି ସାଂଘାତିକ ଅଭିଯୋଗ ଆସିଛି ।

ପୂର୍ବରୁ କ୍ୱିଂଟାଲ ପ୍ରତି ଅଢେଇ କେଜି କଟନି ହେଉଥିବାବେଳେ ଏବେ ତାହା ବସ୍ତା ପ୍ରତି କରାଯାଇ ଚାଷୀଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ କରିଛନ୍ତି ସମ୍ବଲପୁର ଚାଷୀ । ସେପଟେ ଅନେକ ମଣ୍ଡିରେ ଓଜନ ବ୍ୟବସ୍ଥା ନାହିଁ, କେତେକ ମଣ୍ଡିରେ ଓଜନ ବ୍ୟବସ୍ଥା ଥିଲେ ସୁଦ୍ଧା ତାହା ଅଚଳ ହୋଇପଡିଛି ।

ଫଳରେ ଚାଷୀ ବାଧ୍ୟ ହୋଇ ମିଲକୁ ଧାନ ନେଉଥିବା ବେଳେ କିଛି ଅସାଧୁ ମିଲର୍ସ ଏହାର ଫାଇଦା ନେଇ କଟନି ଛଟନି କରୁଥିବା ଅଭିଯୋଗ ଆଣିଛି ଚାଷୀ । ତେବେ ଚାଷୀର ଅଭିଯୋଗ ଉପରେ ଯୋଗାଣ ବିିଭାଗ ଗୁରୁତ୍ୱ ଦେଇ ତଦନ୍ତ କରିବା ଜରୁରୀ ହୋଇପଡୁଛି ।