ରାୟଗଡାରେ ବର୍ଷା ଅଭାବ ଯୋଗୁଁ ଶୁଖିଲା ପଡିଛି ଚାଷ ଜମି, ଚିନ୍ତାରେ ଚାଷୀ। ଅସରାଏ ବର୍ଷାରେ ବେହାଲ ଭୁବନେଶ୍ୱର।

66

କନକ ବ୍ୟୁରୋ: ଗୋଟେ ପଟେ ମୌସୁମୀ ବର୍ଷା ସହର ସ୍ଥିତି ବେହାଲ କରୁଥିବା ବେଳେ ଅନ୍ୟପଟେ ଚାଷ ପାଇଁ ଅଭାବୀ ବର୍ଷା ଚାଷୀଙ୍କୁ ଚିନ୍ତାରେ ପକାଇଛି । ବର୍ଷା ଯୋଗୁଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପାଣି ଜମି ରହୁଥିବା ବେଳେ ରାୟଗଡା ଜିଲ୍ଲାର ପାଣି ନଥିବାରୁ ଚାଷ କାମ ଆରମ୍ଭ ହୋଇପାରୁନାହିଁ । ଜୁନ୍ ସରି ଜୁଲାଇ ହେଲାଣି ତଥାପି ରାୟଗଡା ଜିଲ୍ଲାରେ ବର୍ଷାର ଦେଖାନାହିଁ । କାଁ ଭାଁ କିଛି ସ୍ଥାନରେ ଅଳ୍ପ ଅଳ୍ପ ବର୍ଷା ହେଉଛି । ହେଲେ ତାହା ଚାଷ ପାଇଁ ପର୍ଯ୍ୟପ୍ତ ନୁହେଁ ।

ବର୍ଷାର ଅଭାବ ସାଙ୍ଗକୁ କେନାଲରେ ପାଣି ଆସୁନଥିବାରୁ ଚିନ୍ତାରେ ପଡିଯାଇଛନ୍ତି ଚାଷୀକୂଳ । ବର୍ଷ ବର୍ଷ ଧରି କେନାଲର ତଳମୁଣ୍ଡରେ ଥିବା ଚାଷ ଜମିରେ ପାଣି ପହଞ୍ଚି ପାରୁନାହିଁ । ଯାହା ଜିଲ୍ଲାର ଚାଷୀଙ୍କ ପାଇଁ ବୋଝ ଉପରେ ଲଳିତାବିଡା ସଦୃଶ ହୋଇଛି । ଏହାକୁ ନେଇ ଚାଷୀମାନେ ରାୟଗଡା ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କୁଲି ଏମ୍.ଆଇ.ପି ଡ୍ୟାମ୍ ଗୁଆକଣା ସବ ମାଇନର କେନାଲରେ ପାଣି ଛାଡିବା ପାଇଁ ଦାବି କରି ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।