କନକ ବ୍ୟୁରୋ: ଚାଷୀଙ୍କ ପାଇଁ ସରକାର କାଳିଆ, ବଳରାମ ଯୋଜନାଠାରୁ ଆରମ୍ଭ କରି ଅନେକ ଯୋଜନା କରୁଛନ୍ତି । ହେଲେ ଚାଷୀଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିପାରୁ ନାହିଁ । ଅନ୍ୟ ରାଜ୍ୟର ଚାଷୀ ତୁଳନାରେ ଓଡିଶାର ଚାଷୀ ପରିବାର ଗରିବ । ଏହା ଖୋଦ୍ ରାଜ୍ୟ ସରକାର ବିଧାନସଭାରେ ସ୍ୱୀକାର କରିଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ଏହା ମାନିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।
କଂଗ୍ରେସ ବିଧାୟକ ଦଳ ନେତା ଲିଖିତ ପ୍ରଶ୍ନ କରି ପଚାରିଥିଲେ ରାଜ୍ୟର ଚାଷୀଙ୍କ ମାସିକ ଆୟ କେତେ? ଅନ୍ୟ ରାଜ୍ୟର ଚାଷୀଙ୍କ ମାସିକ ଆୟର ତୁଳନାତ୍ମକ ତଥ୍ୟ ଗୃହରେ ଜଣାଇବାକୁ କହିଥିଲେ । ଏହାର ଲିଖିତ ଉତ୍ତର ଦେଇଛନ୍ତି କୃଷିମନ୍ତ୍ରୀ । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ବା ଏନଏସଓର ରିପୋର୍ଟ ଅନୁସାରେ ଦେଶର ୨୮ରାଜ୍ୟ ମଧ୍ୟରୁ ଚାଷୀଙ୍କ ମାସିକ ଆୟ ତାଲିକାରେ ଓଡିଶା ୨୭ ତମ ସ୍ଥାନରେ ରହିଛି । କେବଳ ଝାଡଖଣ୍ଡର ଚାଷୀଙ୍କ ଆୟଠାରୁ ଓଡିଶାର ଚାଷୀଙ୍କ ଆୟ ଅଧିକା ରହିଛି ।
ଏନଏସଓ ରିପୋର୍ଟ ଅନୁସାରେ ୨୦୧୮-୧୯ ଆର୍ଥିକ ବର୍ଷରେ ରାଜ୍ୟର କୃଷକଙ୍କ ଆୟ ୫ହଜାର ୧୧୨ ଟଙ୍କା ଥିଲା । ୨୦୧୮-୧୯ରେ ଝାଡଖଣ୍ଡ କୃଷକଙ୍କ ଆୟ ୪ ହଜାର ୮୯୫ ଟଙ୍କା ଥିଲା । ବଡ କଥା ହେଉଛି, ୨୦୧୨-୧୩ ଆର୍ଥିକ ବର୍ଷରେ ଓଡିଶା ତଳଆଡୁ ୫ ନମ୍ବର ସ୍ଥାନରେ ରହିଥିଲା । ମାସିକ ଆୟ କ୍ଷେତ୍ରରେ ଓଡିଶାର ଚାଷୀଙ୍କ ଠାରୁ ପଶ୍ଚିମବଙ୍ଗ, ଉତରପ୍ରଦେଶ, ବିହାର, ଝାଡଖଣ୍ଡର ଚାଷୀ ତଳେ ରହିଥିଲେ । ହେଲେ ଏହାରି ଭିତରେ କେବଳ ଝାଡଖଣ୍ଡକୁ ଛାଡି ଦେଲେ ଅନ୍ୟ ୩ ରାଜ୍ୟର ଚାଷୀ ଓଡିଶାର ଚାଷୀଙ୍କୁ ପଛରେ ପକାଇ ଦେଇଛନ୍ତି । ତେଣୁ ପ୍ରଶ୍ନ ଉଠୁଛି ଚାଷୀଙ୍କ ପାଇଁ ସରକାର ଅନେକ ଯୋଜନା କରିବା ସତ୍ୱେ ଓଡିଶାର ଚାଷୀ ଗରିବ କାହିଁକି?
ଓଡିଶାର ଚାଷୀ ଗରିବ କାହିଁକି?
- ଏନଏସଓ ରିପୋର୍ଟରେ ଚାଷୀଙ୍କ ମାସିକ ଆୟର ତାଲିକା
- ଚାଷୀ ପରିବାରର ମାସିକ ଆୟ ତାଲିକାର ୨୭ତମ ସ୍ଥାନରେ ଓଡିଶା
- ଓଡିଶା ପଛକୁ ତାଲିକାରେ କେବଳ ଝାଡଖଣ୍ଡ ରହିଛି
- ୨୦୧୮-୧୯ରେ ଓଡିଶା ଚାଷୀଙ୍କ ମାସିକ ଆୟ ୫,୧୧୨ ଟଙ୍କା
- ଝାଡଖଣ୍ଡ ଚାଷୀଙ୍କ ମାସିକ ଆୟ ୪,୮୯୫ ଟଙ୍କା
- ପଶ୍ଚିମବଙ୍ଗ ଚାଷୀଙ୍କ ମାସିକ ଆୟ ୬.୭୬୨ ଟଙ୍କା
- ବିହାରରେ ଚାଷୀଙ୍କ ମାସିକ ଆୟ ୭.୫୪୨ ଟଙ୍କା
- ମେଘାଳୟରେ ଚାଷୀଙ୍କ ମାସିକ ଆୟ ସର୍ବାଧିକ ୨୯,୩୪୮ ଟଙ୍କା
- ପଞ୍ଜାବରେ ଚାଷୀ ମାସକୁ ହାରାହାରି ୨୬.୭୦୧ ଟଙ୍କା ଆୟ କରନ୍ତି
- ହରିୟାଣାରେ ଚାଷୀଙ୍କ ମାସିକ ଆୟ ୨୨. ୮୪୧ ଟଙ୍କା
- ଅରୁଣାଚଳ ପ୍ରଦେଶର ଚାଷୀ ମାସକୁ ପାଖାପାଖି ୧୯, ୨୨୫ ଟଙ୍କା
- ଜାମ୍ମୁକାଶ୍ମୀରର ଚାଷୀ ମାସକୁ ଆୟ କରନ୍ତି ୧୮,୯୮୧ ଟଙ୍କା
- ୨୦୦୨-୦୩ ଏନଏସଓ ରିପୋର୍ଟରେ ଓଡିଶା ଚାଷୀଙ୍କ ଆୟ ସବୁଠୁ ତଳେ ଥିଲା
- ୨୦୧୨-୧୩ରେ ଓଡିଶା ୨୮ ରାଜ୍ୟ ତାଲିକାରେ ୨୪ତମ ସ୍ଥାନକୁ ଉନ୍ନୀତ
- ଓଡିଶା ତଳକୁ ଥିଲେ ପଶ୍ଚିମବଙ୍ଗ, ବିହାର, ଉତ୍ତରପ୍ରଦେଶ ଓ ଝାଡଖଣ୍ଡ
- ୨୦୧୮-୧୯ ଆର୍ଥିକ ବର୍ଷରେ ଓଡିଶା ୨୭ ତମ ସ୍ଥାନରେ ରହିଛି
- ଝାଡଖଣ୍ଡ ଛଡା ପଶ୍ଚିମବଙ୍ଗ, ୟୁପି, ବିହାର ଓଡିଶା ଚାଷୀଙ୍କୁ ପଛରେ ପକାଇଦେଇଛନ୍ତି