କନକ ବ୍ୟୁରୋ: ବ୍ୟାଙ୍କ ସାମ୍ନାରେ ଲମ୍ବା ଲାଇନ୍ । ଉଠାଜଳସେଚନ ଯୋଜନାରେ ନଳକୂପ ପାଇବା ପାଇଁ ବ୍ୟାଙ୍କ ଆଗରେ ଚାଷୀଙ୍କ ଭିଡ । କେବଳ ୟୁନିୟନ ବ୍ୟାଙ୍କରେ ଆବେଦନ କରିବାର ସୁବିଧା ଥିବାରୁ ଲୋକେ ଏହି ବ୍ୟାଙ୍କରେ ଭିଡ ଜମାଇଛନ୍ତି ଚାଷୀ ।

Advertisment

ନବରଙ୍ଗପୁର ଉମରକୋଟ ଅଞ୍ଚଳରେ ଥିବା ୟୁନିୟନ ବ୍ୟାଙ୍କ ସମ୍ମୁଖରେ ଏଭଳି ଭିଡ ଦେଖିବାକୁ ମିଳିଛି । ଉଠା ଜଳସେଚନ ବିଭାଗ ପକ୍ଷରୁ ଚାଷୀଙ୍କୁ ନଳକୂପ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଏହି ଯୋଜନାର ଅର୍ନ୍ତଭୁକ୍ତ ହେବାକୁ ହେଲେ କେବଳ ୟୁନିୟନ ବ୍ୟାଙ୍କ ମାଧ୍ୟମରେ ହିଁ ଟଙ୍କା ପୈଠ କରି ପଞ୍ଜିକରଣ କରିବାର ନିୟମ ରହିଛି । ନବରଙ୍ଗପୁର ଜିଲ୍ଲାରେ ୟୁନିୟନ ବ୍ୟାଙ୍କର ଦୁଇଟି ଶାଖା ରହିଛି । ଆସନ୍ତା ୧୬ ତାରିଖ ଭିତରେ ଟଙ୍କା ପୈଠ କରିନପାରିଲେ ଯୋଜନାରୁ ବଂଚିତ ହେବାର ଆଶଙ୍କା ଥିବାରୁ ଲୋକ ବ୍ୟାଙ୍କରେ ଭିଡ ଜମାଇଛନ୍ତି । ସୂଚନା ମୁତାବକ ୧୦ରୁ ୨୦ ହଜାର ଟଙ୍କା ଜମା କଲେ ଚାଷ କରିବା ପାଇଁ ସରକାରଙ୍କ ପକ୍ଷରୁ ମାଗଣାରେ ନୂଳକୁପ ବସାଇଦିଆଯିବ । ଯାହାଦ୍ୱାରା ଚାଷୀମାନେ ସବୁ ସମୟରେ ଚାଷ କରିପାରିବେ ।

ଏନେଇ ଓଡିଶା ଉଠା ଜଳସେଚନର ଉପଦେଷ୍ଟା ପ୍ରମୋଦ ପାଢ଼ୀ କହିଛନ୍ତି, ଯଦି ଜିଲା ପ୍ରଶାସନ ଅନ୍ୟ ବ୍ୟାଙ୍କକୁ ଜଡିତ କରିବା ସହ ଆବେଦନ କରିବାର ଅବଧି ଆଉ ୧୫ଦିନ ଯଦି ବଢ଼ାଇ ଦିଅନ୍ତି ତାହେଲେ ଜିଲାର ଅନେକ ଚାଷୀ ଉପକୃତ ହୋଇ ପାରିବେ ।