ଶେଷରେ ସରିଲା ଚାଷୀ ଆନ୍ଦୋଳନ । MSP ପାଇଁ ଆଇନ ଆଣିବାକୁ ସରକାରଙ୍କ ପ୍ରତିଶ୍ରୁତି ପରେ ନରମିଲା ଚାଷୀଙ୍କ ସ୍ୱର ।

141

କନକ ବ୍ୟୁରୋ : ଶେଷରେ ପ୍ରାୟ ଏକ ବର୍ଷ ଧରି ଚାଲିଥିବା ଚାଷୀ ଆନ୍ଦୋଳନ ପ୍ରତ୍ୟାହାର ହୋଇଛି । ସରକାର ପ୍ରାୟ ସମସ୍ତ ଦାବି ମାନିଯିବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର କରିନେଇଛନ୍ତି ଚାଷୀ । ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ଉପରେ ବିଚାର କରିବାକୁ ଏକ କମିଟି ଗଠନ ନେଇ କେନ୍ଦ୍ର ଲିଖିତ ପ୍ରତିଶ୍ରୁତି ଦେଇଛି । ଶୀଘ୍ର ଦିଲ୍ଲୀ ସୀମା ଛାଡ଼ି ୧୧ ତାରିଖରେ ଘରକୁ ଫେରିଯିବେ ବୋଲି କହିଛନ୍ତି ଚାଷୀ ନେତା ।

ଚାଷୀ ଆନ୍ଦୋଳନରେ ପଡ଼ିଲା ଯବନିକା । ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଚାଷୀ । ଏକ ବର୍ଷରୁ ଅଧିକ ସମୟ ଧରି ଯେଉଁ ଚାଷୀ ଆନ୍ଦୋଳନକୁ ନେଇ ଦେଶରେ ତୁମ୍ବିତୋଫାନ ଚାଲିଥିଲା, ଶେଷରେ ତାହା ପ୍ରତ୍ୟାହୃତ ହୋଇଛି । ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଘୋଷଣା କରିଛନ୍ତି ଚାଷୀ ସଂଗଠନ । ଚାଷୀଙ୍କ ପ୍ରାୟ ସବୁ ଦାବି କେନ୍ଦ୍ର ସରକାର ମାନିନେଇଛନ୍ତି । ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ଉପରେ ବିଚାର କରିବାକୁ ଏକ କମିଟି ଗଠନ ନେଇ କେନ୍ଦ୍ରର ଲିଖିତ ପ୍ରତିଶ୍ରୁତି ପରେ ଚାଷୀମାନେ ଆନ୍ଦୋଳନରୁ ହଟିଛନ୍ତି । ଶୀଘ୍ର ଦିଲ୍ଲୀ ସୀମା ଛାଡ଼ି ୧୧ ତାରିଖରେ ଘରକୁ ଫେରିଯିବା କଥା କହିଛନ୍ତି ଚାଷୀ ନେତା ।

ଆନ୍ଦୋଳନ ପ୍ରତ୍ୟାହାର ପରେ ଏବେ ଚାଷୀମାନେ ଘରକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି । ସିଂଘୁ ସୀମାରେ ଚାଷୀମାନେ ଟେଣ୍ଟ ଖୋଲୁଥିବାର ଦେଖିବାକୁ ମିଳିଛି । ଯଦି କେନ୍ଦ୍ର ସରକାର ଦାବି ପୂରଣ ନକରନ୍ତି, ପୁଣି ଥରେ ଆନ୍ଦୋଳନ ହେବ ବୋଲି, ସେମାନେ ଚେତାଇଦେବାକୁ ଭୁଲି ନାହାନ୍ତି । ଆନ୍ଦୋଳନ ପ୍ରତ୍ୟାହାର ପରେ ବି ଜାନୁଆରୀ ୧୫ରେ ଚାଷୀମାନେ ଆଉ ଏକ ସମୀକ୍ଷା ବୈଠକ କରିବେ । ଏହି ବୈଠକରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ ଦିଗରେ କି ପଦକ୍ଷେପ ନେଉଛନ୍ତି, ସେ ଉପରେ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି ।

ଗତବର୍ଷ ନଭେମ୍ବର ୨୬ ତାରିଖରୁ ତିନି କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଧାରଣା ଦେଇଥିଲେ ଚାଷୀ । କୃଷି ଆଇନକୁ ନେଇ ବିଭିନ୍ନ ସମୟରେ ସରକାର ଓ କୃଷକ ମୁହାଁମୁହିଁ ହୋଇଥିଲେ । ଗତମାସରେ କୃଷି ଆଇନ ପ୍ରତ୍ୟାହାର ପାଇଁ ସରକାର ଘୋଷଣା କରିବା ସତ୍ୱେ ଏମଏସପି ଦାବିରେ ଦିଲ୍ଲୀ ସୀମାରେ ଅଡିବସିଥିଲେ ଚାଷୀ । ଏବେ ସରକାର ଲିଖିତ ପ୍ରତିଶ୍ରୁତି ଦେବା ପରେ ଚାଷୀ ଆନ୍ଦୋଳନରୁ ଓହରିଛନ୍ତି ।