ସମ୍ଭାବ୍ୟ ବାତ୍ୟା ବଢାଇଲା ଚାଷୀଙ୍କ ଚିନ୍ତା । ବର୍ଷା ଆଗରୁ ଧାନ ଅମଳ ପାଇଁ ଅଣ୍ଟା ଭିଡିଛନ୍ତି ଚାଷୀ ।

157

କନକ ବ୍ୟୁରୋ : ପାଣିପାଗ ବିଜ୍ଞାନ ବିଭାଗ ତରଫରୁ ଆସନ୍ତା ୩ ତାରିଖରେ ବାତ୍ୟା-ବର୍ଷା ଆସୁଥିବା ଆଗୁଆ ସୂଚନା ମିଳିବା ପରେ ଚାଷୀ ତତ୍ପର ହୋଇ ଉଠିଛନ୍ତି । ଚଳିତ ବର୍ଷର ଖରିଫ ଧାନକୁ କାଟି ଖଳାକୁ ଆଣିବାକୁ ଅଣ୍ଟା ଭିଡିଛନ୍ତି । କିଏ ଧାନ କାଟି ସେଇ ଜମିରେ ଗଦା କରି ରଖୁଛନ୍ତି ତ କିଏ ଟ୍ରାକ୍ଟର ଯୋଗେ କଟା ଧାନକୁ ବୋହି ନେଉଛନ୍ତି । ଲକ୍ଷ୍ୟ ଗୋଟିଏ, ବର୍ଷା ଦାଉରୁ ନିଜ ଫସଲକୁ ବଞ୍ଚାଇ ରଖିବା ।

ତରତର ହୋଇ ଧାନ କାଟି ପକାଉଛନ୍ତି ଚାଷୀ । ଜମିରୁ ପାଣି ଛାଡି ନଥିଲେ ବି ଧାନକଟା ହେଉଛି । ଟ୍ରାକ୍ଟର ଯୋଗେ ଖଳାକୁ ନେଉଛନ୍ତି । ଏବେ ଧାନ କାଟି ସୁରକ୍ଷିତ ସ୍ଥାନକୁ ନଆଣିଲେ ବର୍ଷକର ପରିଶ୍ରମ ବର୍ଷାରେ ଧୋଇ ଯିବ । ଅମଳକ୍ଷମ ଧାନ ଲଘୁଚାପ ବର୍ଷାରେ ନଷ୍ଟ ହୋଇଯିବ । ରାୟଗଡା ଜିଲ୍ଲାର ୪୭ ହଜାର ହେକ୍ଟର ଜମିରେ ଧାନ ଚାଷ ହୋଇଛି । ଗତ କିଛି ଦିନ ତଳେ ଅଦିନିଆ ବର୍ଷାରେ ବହୁ ପରିମାଣର ଧାନ ଫସଲ ନଷ୍ଟ ହୋଇଥିଲା, ଯାହା ବଳିଥିଲା ତାକୁ ନଷ୍ଟ କରିବାକୁ ଆସୁଛି ପୁଣି ବର୍ଷା ।

ଧାନ ବର୍ଷା ପାଣିରେ ଭିଜିବା ଆଗରୁ ଅମଳ କରିବା ଚେଷ୍ଟା ଚଳାଇଛନ୍ତି ବାଲେଶ୍ୱର ବସ୍ତା ଅଂଚଳର ଚାଷୀ । ଧାନ ସମ୍ପୂର୍ଣ୍ଣ ଭାବେ ପାଚି ନାହିଁ, ତଥାପି ସେଗୁଡିକୁ କାଟି ଘରକୁ ନେବାକୁ ପ୍ରୟାସ କରୁଛନ୍ତି । ଖଳାକୁ ନେଲେ ବି ଗଜା ହେବାର ଆଶଙ୍କା ରହିଛି । ସମ୍ଭାବ୍ୟ ବାତ୍ୟା ଜୱାଦ କେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁବ ତାହା ସ୍ପଷ୍ଟ ହୋଇନଥିବା ବେଳେ ବଡ ବର୍ଷାର ଆଶଙ୍କା ଥିବାରୁ ପିଲାଛୁଆଙ୍କୁ ଧରି ଧାନ କଟା କାମରେ ଲାଗିଛନ୍ତି ଚାଷୀ ।

କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଏବଂ ଗରଦପୁର ବ୍ଲକର ହଜାର ହଜାର ହେକ୍ଟର ଜମିରେ ଧାନ ଅମଳ ହୋଇନାହିଁ । ପାଚିଲା ଧାନ ଏବେ ଜମିରେ ହସୁଛି । ହେଲେ ଏଇ ଧାନ ଅମଳ ହେବା ଆଗରୁ ତାକୁ ଭିଜେଇବା ପାଇଁ ଆସୁଛି ବର୍ଷା । ତେଣୁ ଧାନ କାଟି ଖଳାକୁ ଆଣିବା ପାଇଁ ମେସିନ ଲଗାଇ ଧାନ କାଟୁଛନ୍ତି ମାର୍ଶାଘାଇ ଅଞ୍ଚଳର ଚାଷୀ ।

ସେପଟେ ଯାଜପୁର ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ତତ୍ପରତା ପ୍ରକାଶ ପାଇଛି । ଅଦିନିଆ ବର୍ଷା ଓ ବାତ୍ୟାକୁ ନେଇ ଲୋକଙ୍କୁ ଆଗୁଆ ସତର୍କ ଓ ସଚେତନ କରାଇଛି ଜିଲ୍ଲା ପ୍ରଶାସନ । ଅଟୋରେ ଡାକବାଜି ଯନ୍ତ୍ର ସହାୟତାରେ ନଦୀକୂଳିଆ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଇଛି ଜିଲ୍ଲା ପ୍ରଶାସନ । ବିଶେଷକରି ଧାନ ଓ ଅନ୍ୟାନ୍ୟ ଫସଲ ଅମଳ ହେଉଥିବାରୁ ପାଚିଲା ଧାନକୁ ତୁରନ୍ତ ଅମଳ କରିନେଇ ସୁରକ୍ଷିତ ସ୍ଥାନରେ ରଖିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି ।